Blueprint: ଅପରାଧ ରୋକିବାକୁ ନୀଳ ନକ୍ସା: ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ହେବ ପାଟ୍ରୋଲିଂ
ପାର୍ବଣ ଆରମ୍ଭରୁ ରାଜଧାନୀରେ ଡରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି।

ଭୁବନେଶ୍ବର: ପାର୍ବଣ ଆରମ୍ଭରୁ ରାଜଧାନୀରେ ଡରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। ଖାଲି ଏତିକି ନୁହେଁ, ଅଭ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିଚାଲିଛି। ବାର୍ରେ ମସ୍ତି କରି ରକ୍ତପାତ ଘଟୁଛି। କିଛିଦିନ ତଳେ ଦାଦାବଟି ନଦେବାରୁ କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ଉଦ୍ୟମ, ଖଣ୍ଡଗିରି ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି। ସେହିପରି ପଥରବନ୍ଧ ବସ୍ତିରେ ଦୁଇସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ସତ୍ୟବିହାର ଅଞ୍ଚଳରେ ଏକ ବାର୍ରେ ନିଶାଡ଼ିଙ୍କ ଆତଙ୍କ, କିଛିଦିନ ହେବ ଅପରାଧିଙ୍କ ଏଭଳି ଆତଙ୍କରୁ ରାଜଧାନୀର ଅପରାଧର ଚିତ୍ର ସ୍ପଷ୍ଟ ବାରି ହେଉଛି। ଭାଇଗିରି ଓ ଅପରାଧୀଙ୍କ ଦୌରାତ୍ମ୍ୟକୁ ରୋକିବାଲାଗି କମିସନରେଟ୍ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୫୦୦ରୁ ଅଧିକ ଅପରାଧୀଙ୍କ ତାଲିକା କରିଛି। ଖୋଜିଖୋଜି ସେହି ଅପରାଧୀଙ୍କୁ ବନ୍ଧାଯିବ। ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିବାଲାଗି ଚିନ୍ତା ମଧ୍ୟ କରାଯାଉଛି। ଏହିକ୍ରମରେ ଆଜି ଅତର୍କିତଭାବେ ପୁଲିସ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ୩ରୁ ଅଧିକ ବାରରେ ଚଢ଼ଉ କରି ଡିଜେ ଜବତ ସହ ମାଲିକଙ୍କୁ ନୋଟିସ୍ ଦେଇଛି।
ବସ୍ତିରେ ଲାଗିଲା ନୋଟିସ୍, ବାର୍ରେ ଚଢ଼ଉ
ତାଲିକାରେ ୧୫୦୦ରୁ ଉର୍ଦ୍ଧ୍ବଙ୍କ ନାମ
ତଡ଼ିପାରେ ହେବେ କୁଖ୍ୟାତ
ଭାଇଗିରି ଓ ବଟିକୁ ନାଁ, ଖୋଜିଖୋଜି ବାନ୍ଧିବ ପୁଲିସ
ସେହିପରି ବିଭିନ୍ନ ବସ୍ତରେ ଜବରଦଖଲ କରି ରହି ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ବସ୍ତିରେ ନୋଟିସ ଲାଗିଛି। କରାଯାଇଛି। ଅପରାଧୀଙ୍କୁ ସାବାଡ଼ ପାଇଁ କମିସନରେଟ୍ ପୁଲିସ ଏଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୂଜା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ଏଥିପାଇଁ ଡିସିପି ଜଗମୋହନ ମୀନା ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଅପରାଧରେ ସମ୍ପୃକ୍ତ ଅପରାଧୀମାନଙ୍କୁ ସାମାଜିକ ଭାବେ ବାସନ୍ଦ କରିବାକୁ ବସ୍ଥିର ମୁରବିମାନଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ସୌଜନ୍ୟ ସମ୍ବାଦ




