କାମ ନାହିଁ ତ ଦରମା ନାହିଁ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ସମଗ୍ର ଶିକ୍ଷା ଅଧୀନସ୍ଥ କର୍ମଚାରୀଙ୍କ ପ୍ରତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟରୁ ଅନୁପସ୍ଥିତ ରହିଲେ ସମ୍ପୃକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ‘ନୋ ୱାର୍କ, ନୋ ପେ’ (କାମ ନାହିଁ ତ ଦରମା ନାହିଁ) ନିୟମ ଲାଗୁ ହେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକ (ଡିଇଓ-କମ୍-ଡିପିସି)ଙ୍କୁ ପତ୍ର ଲେଖି ନିର୍ଦେଶ ଦେଇଛନ୍ତି।
ପତ୍ର ଅନୁଯାୟୀ, ଦାବି ପୂରଣ ଉଦ୍ଦେଶ୍ୟରେ ‘ନିଖିଳ ଓଡ଼ିଶା ଏମ୍ଆଇଏସ୍-କମ୍-ପ୍ଲାନିଂ କୋଅର୍ଡିନେଟର ଓ ଆକାଉଣ୍ଟାଣ୍ଟ-କମ୍-ସପୋର୍ଟ ଷ୍ଟାଫ୍ ମିଳିତ ମଞ୍ଚ’ ପକ୍ଷରୁ ସେପ୍ଟେମ୍ବର ୨ରୁ ଧର୍ମଘଟ ଡାକରା ଦିଆଯାଇଛି। ସରକାରୀ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି କର୍ମଚାରୀମାନେ ନିୟମିତ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ତଥାପି ଯେଉଁ କର୍ମଚାରୀମାନେ ନିଜ ଦାୟିତ୍ୱରୁ ଅନୁପସ୍ଥିତ ରହିବେ, ସେମାନଙ୍କ ଅନୁପସ୍ଥିତି କାଳକୁ ବିନା ବେତନ ଭାବେ ଗଣନା କରାଯିବ ଏବଂ ଅଣ-ଅନୁମୋଦିତ ଅନୁପସ୍ଥିତି ପାଇଁ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକସ୍ତରୀୟ ଏହି କର୍ମଚାରୀଙ୍କ ଦୈନିକ ଉପସ୍ଥାନ ଯାଞ୍ଚ ଲାଗି ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ନିର୍ଦେଶ ଦେବାକୁ ଡିଇଓଙ୍କୁ କୁହାଯାଇଛି। ବିଇଓମାନେ ନିର୍ଦ୍ଧାରିତ ଫର୍ମାଟ୍ରେ ଦୈନିକ ଉପସ୍ଥାନ ବିବରଣୀ ଜିଲା କାର୍ଯ୍ୟାଳୟକୁ ପଠାଇବେ। ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଡିଇଓ-କମ୍-ଡିପିସି କାର୍ଯ୍ୟାଳୟ ପକ୍ଷରୁ ଏକ ସମନ୍ୱିତ ରିପୋର୍ଟ ପ୍ରସ୍ତୁତ କରାଯାଇ ଓସେପାକୁ ପ୍ରଦାନ କରାଯିବ। କୌଣସି କର୍ମଚାରୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ଜଣାପଡ଼ିଲେ, ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ରାଜ୍ୟ କାର୍ଯ୍ୟାଳୟକୁ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି।
ସୌଜନ୍ୟ ସମାଜ




