Natural Disaster: ବନ୍ୟାର ଦୁଃଖ ଯାଇନି…ପୁଣି ଭୂକମ୍ପରେ ଥରିଲା ତିକ୍ରତ ଓ ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ

ନୂଆଦିଲ୍ଲୀ, ୦୯/୦୯: ତିକ୍ରତ ଓ ନେପାଳ ଆଜି ରାତିରେ ଭୂକମ୍ପରେ ଥରି ଉଠିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ ୟୁରୋପୀୟାନ-ମେଡିଟରେନିୟମ ସିସ୍ମୋଲୋଜିକାଲ ସେଣ୍ଟରର ସୂଚନା ଅନୁସାରେ ଆଜି ରାତିରେ ପ୍ରଥମେ ତିକ୍ରତରେ ଭୂକମ୍ପ ଘଟିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା । ଏହାର ଗଭୀରତା ଭୂପୃଷ୍ଠରୁ ୩୫ କି.ମି. ଭିତରେ ରହିଛି ।ଗତ ୩ ତାରିଖରେ ତିକ୍ରତରେ ୫ ତୀବ୍ରତାର ଭୂକମ୍ପ ହୋଇଥିଲା । ତେବେ ଆଜି ତିକ୍ରତରେ ଭୂକମ୍ପ ଘଟିବାର କିଛି ସମୟ ପରେ ନେପାଳରେ ରାତି ୯ଟା ୩୮ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଥିଲା । ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୪୨ କି.ମି. ଗଭୀରତାରେ ରହିଥିଲା । କିନ୍ତୁ ଭୂକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଭୂକମ୍ପ ଝଟକା ଲାଗିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ ।
ଗତ ଅଗଷ୍ଟ ୨୬ରେ ତିକ୍ରତରେ ୫ ତୀବ୍ରତାର ଭୂକମ୍ପ ଘଟିବା ପରେ ହିନ୍ଦୁକୁଶରେ ଥିବା ହିମହ୍ରଦ ଭାଙ୍ଗି ଥିଲା । ପାହାଡ ଉପରୁ ପ୍ରଚଣ୍ଡ ବେଗରେ ମାଟି ଓ ପାଣି ତଳକୁ ମାଡି ଆସି ତିକ୍ରତ ଓ ନେପାଳରେ ପ୍ରଳୟଙ୍କରୀ ବନ୍ୟା ଘଟି ବ୍ୟାପକ ଧନଜୀବନହାନି ହୋଇଥିଲା । ଏହି ବନ୍ୟାରେ ଉଭୟ ଅଞ୍ଚଳର ଲୋକମାନେ ଅଣ୍ଟା ସଳଖି ନଥିବା ବେଳେ ଆଜିର ଏହି ଭୂକମ୍ପ ସେମାନଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି ।
ସୌଜନ୍ୟ ପ୍ରମେୟ



