ଜାତୀୟ

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଟିପ୍ପଣୀ: ଘରେ ପଶି ମହିଳାଙ୍କ ଶାଢ଼ି ଟାଣିବା ଦୁଷ୍କର୍ମ ଉଦ୍ୟମ ନୁହେଁ

ରାଞ୍ଚି ୦୯/୦୯ ,ଝାଡ଼ଖଣ୍ଡ ହାଇକୋର୍ଟ ୨୭ ବର୍ଷ ତଳର ଏକ ଦୁଷ୍କର୍ମ ଉଦ୍ୟମ ମାମଲାରେ ଜଣେ ଅଭିଯୁକ୍ତଙ୍କ ଦଣ୍ଡାଦେଶକୁ କାଏମ ରଖିବା ସହ ଏଥିରେ କୋହଳ କରିଛନ୍ତି । ହାଇକୋର୍ଟ କହିଛନ୍ତି ରାତିରେ ମହିଳାଙ୍କ ଘରେ ପଶିବା, ତାଙ୍କୁ ଧରିବା, ଶାଢ଼ି ଟାଣିବା, ତାଙ୍କ ସହିତ ଅଶୋଭନୀୟ ହରକତ କରିବା ଆଦି ଗମ୍ଭୀର ଅପରାଧ । କିନ୍ତୁ ଏଭଳି ହରକତକୁ ଦୁଷ୍କର୍ମ ଉଦ୍ୟମ ବୋଲି କୁହାଯାଇପାରିବ ନାହିଁ । ଜଣେ ଅଭିଯୁକ୍ତ ଯଦି ଦୁଷ୍କର୍ମ ଘଟଇବା ଦିଗରେ ସ୍ପଷ୍ଟ ଭାବେ ଅଗ୍ରସର ହୋଇଥାନ୍ତି ଏବଂ ସେଭଳି ପ୍ରତ୍ୟକ୍ଷ ତଥା ନିଶ୍ଚିତ କାର୍ଯ୍ୟ କରିଥାନ୍ତି ତେବେ ତାହା ଦୁଷ୍କର୍ମ ଉଦ୍ୟମ ଭାବେ ବିବେଚନା କରାଯିବ ।

ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ କୋର୍ଟ ଘାଟଶୀଳାର କମଳେନ୍ଦୁ ମେହଟ୍ଟା ଓରଫ ଖୋକାଙ୍କ ଅପରାଧୀକ ଅପିଲ ଉପରେ ଶୁଣାଣି କରିବା ଅବସରରେ ଏଭଳି ଟିପ୍ପଣୀ କରିଛନ୍ତି । ହାଇକୋର୍ଟ ଖୋକାଙ୍କ ମାମଲାକୁ ଆଇପିସିର ଦଫା ୩୫୪ ଅନୁସାରେ ଅପରାଧ ବୋଲି ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୁକ୍ତଙ୍କୁ ମିଳିଥିବା ୪ ବର୍ଷର ଜେଲ୍ଦଣ୍ଡ ବଦଳରେ ୮ ମାସର ଜେଲ୍‌ଦଣ୍ଡ ପର୍ଯ୍ୟାପ୍ତ ବୋଲି କହିଛନ୍ତି । ହାଇକୋର୍ଟ ସାକ୍ଷୀଙ୍କ ବୟାନର ବିଶ୍ଳେଷଣ କରିଛନ୍ତି । କହିଛନ୍ତି ଘଟଣାକୁ କେହି ଦେଖିନାହାନ୍ତି । କିନ୍ତୁ ଅଭିଯୁକ୍ତ ପୀଡିତାଙ୍କ ଘରୁ ଯିବାର ଦେଖିଛନ୍ତି । ପୀଡିତାଙ୍କ ଭାଇ କହିଥିଲେ ଯେ ଅପରାଧ ସମ୍ପର୍କରେ ନିଜ ଭଉଣୀଙ୍କ ଠାରୁ ଶୁଣିଥିଲେ । କିନ୍ତୁ ଅପରାଧକୁ କେହି ଦେଖିନାହାନ୍ତି । ସେହିଭଳି ଅନ୍ୟ ସାକ୍ଷୀମାନେ କହିଥିଲେ କି ସେମାନେ ପୀଡିତାଙ୍କ ପାଟି ଶୁଣିଥିଲେ ଏବଂ ପରେ ଅଭିଯୁକ୍ତ ତାଙ୍କ ଘରୁ ବାହାରିଯିବାର ଦେଖିଥିଲେ ।

ପୀଡିତା କରିଥିବା ଅଭିଯୋଗ ଅନୁସାରେ ୧୯୯୯ ଡିସେମ୍ବର ୨୭ ତାରିଖ ରାତି ପ୍ରାୟ ୧୨ଟାରେ ଅଭିଯୁକ୍ତ ତାଙ୍କ ଘରେ ପ୍ରବେଶ କରିଥିଲେ । ତାଙ୍କ ଶାଢ଼ି ଟାଣିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ସେ ପାଟି କରିବାରୁ ପାଖ ରୁମ୍ରେ ଶୋଇଥିବା ତାଙ୍କ ମା ଚାଲି ଆସିଥିଲେ । ଫଳରେ ଅଭିଯୁକ୍ତ ଜଣକ ସେଠାରୁ ପଳାଇଥିଲେ । ୧୯୯୯ ଡିସେମ୍ବର ୩୧ ତାରିଖରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୨୦୦୬ ଜୁଲାଇରେ ତଳକୋର୍ଟ ଅଭିଯୁକ୍ତ ଖୋକାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଥିଲେ । ଅଭିଯୁକ୍ତ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button