BRICS Summit 2026: ଦିଲ୍ଲୀରେ BRICS ମହାସମାଗମ, ୧୧ ଦେଶର ନେତାଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ, ୯।୯: ରାଜଧାନୀ ଦିଲ୍ଲୀ ଏକ ଐତିହାସିକ BRICS ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ଅବସରରେ ସହରର ପ୍ରମୁଖ ରାସ୍ତା ଓ ବ୍ୟସ୍ତବହୁଳ ଅଞ୍ଚଳଗୁଡ଼ିକୁ ଆକର୍ଷକ ପୋଷ୍ଟର, ହୋର୍ଡିଂ ଏବଂ ରଙ୍ଗବେରଙ୍ଗର ଲାଇଟ୍ରେ ସଜ୍ଜିତ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ରେ ଏହି ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଚଳିତ ବର୍ଷର ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି- “ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ପାଇଁ ନିର୍ମାଣ” । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ବିଶ୍ୱସ୍ତରୀୟ ପ୍ରତିନିଧି ଏବଂ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଯୋଗଦେବେ ।
ବିଦେଶୀ ଅତିଥି ଏବଂ ଭିଆଇପି କାଫିଲାର ସୁଗମ ଯାତାୟାତ ପାଇଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି । ଦେଶ-ବିଦେଶରୁ ଆସୁଥିବା ପ୍ରତିନିଧିମାନେ ରାଜଧାନୀର ୯ଟି ବଡ଼ ହୋଟେଲରେ ଅବସ୍ଥାନ କରିବେ । ଏହି ହୋଟେଲଗୁଡ଼ିକରୁ ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ରାସ୍ତାରେ କାଫିଲାର ରିହର୍ସଲ କରାଯାଉଛି । ଟ୍ରାଫିକ୍ ପୁଲିସ ପକ୍ଷରୁ ସୁରୁଖୁରୁରେ ଯାତାୟାତ ପାଇଁ ୨୨ଟି ମୁଖ୍ୟ ଡାଇଭର୍ସନ ପଏଣ୍ଟ ପ୍ରସ୍ତୁତ କରାଯାଇଛି । ସେଣ୍ଟ୍ରାଲ, ସାଉଥ୍ ଏବଂ ନ୍ୟୁ ଦିଲ୍ଲୀର ପ୍ରାୟ ୩୫ରୁ ଅଧିକ ରାସ୍ତାରେ ଭିଆଇପି ଗସ୍ତ ସମୟରେ ଅସ୍ଥାୟୀ ଭାବେ ରୁଟ୍ ପରିବର୍ତ୍ତନ କରାଯିବ । ସାଧାରଣ ଜନତାଙ୍କୁ ଭିଡ଼ରୁ ବର୍ତ୍ତିବା ପାଇଁ ଯାତ୍ରା ସମୟ ପୂର୍ବରୁ ଧାର୍ଯ୍ୟ କରିବାକୁ ଏବଂ ଅଧିକରୁ ଅଧିକ ଦିଲ୍ଲୀ ମେଟ୍ରୋ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ



