Breaking News

ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ: ସେବା ଓ ସମର୍ପଣ ଭାବ ନେଇ କାମ କର: ମୁଖ୍ୟମନ୍ତ୍ରୀ

ନୀତି ଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଅ, ବୈଠକ ମାତ୍ର ୨୦ ମିନିଟ୍‌ରେ ଶେଷ

ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରାବିଶ୍ୱ ଅପେକ୍ଷା କରିଥାଏ। ଏଣୁ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିସହ ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପ୍ରତି ବି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର। ଆଜି ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆଜିର ବୈଠକ ମାତ୍ର ୨୦ ମିନିଟ୍‌ରେ ଶେଷ ହୋଇଯିବା, ବିଭିନ୍ନ ମହଲରେ ସମାଲୋଚନାର ବିଷୟ ପାଲଟିଛି।

ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ରଥଯାତ୍ରାର ଶେଷ ତଥା ସ୍ବତନ୍ତ୍ର ସମୀକ୍ଷା ବୈଠକ ପୁରୀ ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ସେବାୟତ, ବରିଷ୍ଠ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଦରକାର। ଦେଶବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ, ପୁଲିସ, ସମସ୍ତେ ସେବା ଓ ସମର୍ପଣ ମନୋଭାବ ନେଇ କାମ କରି ମହାପ୍ରଭୁଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପୁସ୍ତକ ‘ରୂପରେଖ’ର ଶୁଭ ଉନ୍ମୋଚନ କରିଥିଲେ।

ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ଓ ଏହାର ଅନୁପାଳନ ନେଇ ସୂଚନା ଦେଇଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର ପ୍ରମୁଖ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ରଥ ସେବକମାନେ ରଥ କାମକୁ ଜୋରସୋରରେ ଆଗେଇ ନେଇଛନ୍ତି। ଏଥର ରଥଯାତ୍ରା ଓ ନବଯୌବନ ଦର୍ଶନ ଭିତରେ ଉଭା ନ ଥିବାରୁ ପ୍ରବଳ ଗହଳି ହେବା ସମ୍ଭାବନା ରହିଛି। ଏଣୁ ଅଧିକ ସ୍ବେଚ୍ଛାସେବୀ ନିୟୋଜନ ଉପରେ ଗୁରୁତ୍ବ ଦିଆଯାଇଥିବା ଶ୍ରୀ ଜେନା କହିଥିଲେ। ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବାସହ ଚଳିତ ବର୍ଷ ରଥଯାତ୍ରାରେ ୧୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ ବୋଲି କହିଥିଲେ।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ରଞ୍ଜନ କୁମାର ଦାସ ସ୍ବାଗତ ଭାଷଣ ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଉନ୍ନୟନ କମିସନର ଅନୁ ଗର୍ଗ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥିଭାଥନନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିସନର ଶାଳିନୀ ପଣ୍ଡିତ, ଦେବୋତ୍ତର କମିସନର ଶିଶିର ରଥ, ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ, ଓର୍‌ମାସ ସିଇଓ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗର ସଦସ୍ୟ, ସେବାୟତ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

Comments are closed.