Breaking News

ଉନ୍ନତିକରଣ ହେବ ବରାଳଦେବୀ ମନ୍ଦିର, ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ବଦଳିବ କନ୍ଧମାଳ କାୟାକଳ୍ପ, ଦୁଇଦିନିଆ ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ

  • କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ :୫ଟି ସଚିବ
  • ଖୁବଶୀଘ୍ର ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ
  • ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି
  • ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫୁଲବାଣୀ: ଦୁଇଦିନିଆ କନ୍ଧମାଳ ଗସ୍ତର ପ୍ରଥମ ଦିନରେ ଜିଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆ। ପ୍ରଥମେ ବଲସକୁମ୍ପା ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ ୫ଟି ସଚିବ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଏହାର ନବକଳେବର ପାଇଁ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଗଞ୍ଜାମ ଜିଲାର ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଭଳି ଖୁବଶୀଘ୍ର ବରାଳଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ୫ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ କନ୍ଧମାଳ ସ୍ପୋର୍ଟସ କମ୍ପ୍ଲେକ୍ସରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତଙ୍କର ସମସ୍ୟା ଶୁଣିବା ସହିତ ୭ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀଙ୍କୁ ଭଲପାଆନ୍ତି। ଖୁବଶୀଘ୍ର ଜିଲ୍ଲାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। କନ୍ଧମାଳ ଜିଲାବାସୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି। ଏହାସହିତ ଆଗାମୀ ଦିନରେ ଜିଲାର ରୂପରେଖ ବଦଳାଯିବ। ସହରକୁ ନୂଆ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ। ଜିଲାର ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯିବ। ମୁଖ୍ୟମନ୍ତ୍ରୀ ପ୍ରଦାନ କରୁଥିବା ଟଙ୍କାକୁ ସ୍ବଚ୍ଛତାର ସହିତ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି ୫ଟି ସଚିବ। ଏହାପରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ଏହାପରେ କରୋନେସ ପଡ଼ିଆ ଏବଂ ପୁଲିସ ରିଜର୍ଭ ପଡ଼ିଆରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଭି.କେ.ପାଣ୍ଡିଆନ କହିଥିଲେ ଯେ ମୋ ପାଖରେ ବହୁତ ସମସ୍ୟା ନେଇ ଦରଖାସ୍ତ ପହଞ୍ଚିଛି। ତେବେ କୃଷି ଓ ଜଳ ସେଚନ ସମ୍ପର୍କିତ ସମସ୍ୟା ନେଇ ଆବେଦନ ଦରଖାସ୍ତକୁ ଅଗ୍ରାଧିକାର ଦିଆଯିବ।

କନ୍ଧମାଳ ଜିଲାର ସବୁ ସ୍କୁଲ ଓ କଲେଜକୁ ୫ଟିରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୁଲବାଣୀ ପୋଲିସ ପଡ଼ିଆରେ ଜିଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ। ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା। ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯିବ। ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ। ପିଲାମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। କଠିନ ପରିଶ୍ରମ କରି ଆତ୍ମବିଶ୍ବାସର ସହିତ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ୫ଟି ସଚିବ କହିଛନ୍ତି।

ଜିଲାର ସମସ୍ତ କଲେଜକୁ ସ୍କୁଲ ରୁପାନ୍ତରଣ ପରି ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା ସହିତ କଲେହ ଗୃହ ରୂପାନ୍ତରୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସବୁ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରାଯିବ ଏବଂ ନୂଆ ବର୍ଷରୁ ନୂଆ ପ୍ଲାଟଫର୍ମରେ ପାଠ ପଢ଼ିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଦିନ ରାତି କଠିନ ପରିଶ୍ରମ କରି ନିଜ ନିଜର ସ୍ୱପ୍ନକୁ ସାକାର କଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ କହିଥିଲେ। ପିଲାମାନଙ୍କୁ ପ୍ରତିଦିନ ଶରୀର ପାଇଁ ୩୦ ମିନିଟ୍ ବ୍ୟାୟାମ ଓ ଉନ୍ନତ ମସ୍ତିଷ୍କ ପାଇଁ ୧୫ ମିନିଟ୍ ଧ୍ୟାନ ବା ଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ନିଜ ଘରେ କାମ କରିବାବେଳେ ବାପାଙ୍କ ସହଯୋଗ କରିବା ଭଳି ସ୍କୁଲର ରୂପାନ୍ତରଣରେ ସାମିଲ ହୋଇ ଶ୍ରମଦାନ କରିବାକୁ ୫ଟି ସଚିବ ପରାମର୍ଶ ଦେଇଛନ୍ତି। ସ୍କୁଲରେ ଥିବା ବର୍ତ୍ତମାନର କ୍ଲାସରୁମ ଏବଂ ରୂପାନ୍ତରଣ ପରେ କେମିତି ଦିଶୁଛି ତାହାର ଭିଡିଓ କରି ସ୍ମୃତି ରଖିବେ ଛାତ୍ରଛାତ୍ରୀ। ଭଲ ଭିଡିଓକୁ ୫ଟି ସଚିବ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ। ଖୁବଶୀଘ୍ର ସ୍କୁଲ ଓ କଲେଜରେ ସମସ୍ତ ଶିକ୍ଷକ ଓ ଅନ୍ୟାନ୍ୟ ପଦ ପୂରଣ କରାଯିବ ବୋଲି ୫ଟି ସଚିବ ଭି.କେ.ପାଣ୍ଡିଆନ ପ୍ରକାଶ କରିଛନ୍ତି।

ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି। ମା’ ସଶକ୍ତ ହେଲେ ସଶକ୍ତ ହେବ ରାଜ୍ୟ । ମହିଳାଙ୍କ ବିକାଶ ପାଇଁ ୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଯୋଜନାକୁ ହାତକୁ ନେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ସାକାର ହୋଇଛି। ମିଶନ ଶକ୍ତି ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଫୁଲବାଣୀର କରୋନେସନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି। ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସେ ପ୍ରକାଶ କରିଛନ୍ତି।
ମିଶନ ଶକ୍ତିକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗକୁ ଏସଏଚଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅନେକ ଖୁସି ଖବର ଦେବେ ବୋଲି କହିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ। ଅନେକ ଏସଏଚଜି ମହିଳା ବିଦେଶ ଗସ୍ତ କରିସାରିଛନ୍ତି। ସମସ୍ତେ ବିଦେଶ ଗସ୍ତ କରି ନୂଆ ଜ୍ଞାନ ଆହରଣ ପାଇଁ ଲକ୍ଷ୍ୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାପରେ ୫ଟି ସଚିବ ଭିକେ ପାଣ୍ଡିଆନ ବ୍ୟାଙ୍କ ମିତ୍ର ଓ ଏମବିକେ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ

କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ପ୍ରକାଶ କରିବା ସହିତ ଚାଷୀମାନଙ୍କର ସମସ୍ୟା ଓ ଧର୍ମାନୁଷ୍ଠାନ ଗୁଡ଼ିକର ଉନ୍ନତିକରଣ ନେଇ ଯାହାବି ପ୍ରସ୍ତାବ ଦିଆଯାଇଛି ଖୁବ୍ ଶିଘ୍ର ମଞ୍ଜୁର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍ , ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ , ତହସିଲଦାର ଦୀନମଣି ନାୟକ, ମିଶନ ଶକ୍ତି ଜିଲା ସଂଯୋଜକ , ଓଏଲ୍ଏମ୍ ଜିଲା ସଂଯୋଜକଙ୍କ ସମେତ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୫-ଟି ସଚିବଙ୍କ ସହିତ ଭିନଲ କ୍ରିଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ୫-ଟି ସଚିବଙ୍କ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ସ୍ୱାଗତ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଯେଉଁ ସବୁ ସ୍ଥାନ ମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସେହି ସବୁ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା।

ଆସନ୍ତାକାଲି ଭି.କେ.ପାଣ୍ଡିଆନ କନ୍ଧମାଳ ଜିଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.