ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଯୁକ୍ତି ବୋର୍ଡ ଚଳିତ ବର୍ଷ ଅଣ-ବୈଷୟିକ ବର୍ଗରେ ୫,୧୬୫ଟି ନୂଆ ପଦବିରେ ନିଯୁକ୍ତି ଦେବା ପାଇଁ ଅନୁମୋଦନ ଦେଇଛି। ଏହି ପଦବିଗୁଡ଼ିକ ମଧ୍ୟରୁ ସ୍ନାତକସ୍ତରର ପରୀକ୍ଷାର୍ଥୀଙ୍କ ପାଇଁ ୩,୪୭୭ଟି ଏବଂ ଯୁକ୍ତ ଦୁଇ ବା ଅଣ୍ଡର ଗ୍ରାଜୁଏଟ୍ ସ୍ତରର ଆଶାୟୀଙ୍କ ପାଇଁ ୧,୬୮୮ଟି ପଦବି ଖାଲି ଅଛି। ଏଥିପାଇଁ ଦେଶର ସମସ୍ତ ଜୋନାଲ୍ ରେଳବାଇକୁ ଚଳିତ ସେପ୍ଟେମ୍ବର ୭ ତାରିଖରୁ ୧୫ ତାରିଖ ମଧ୍ୟରେ ସେମାନଙ୍କର ଖାଲି ପଡ଼ିଥିବା ପଦବିର ଚୂଡ଼ାନ୍ତ ତାଲିକା ପଠାଇବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗ୍ରାଜୁଏଟ୍ ବର୍ଗରେ ମାଲଗାଡ଼ି ପରିଚାଳକ ପାଇଁ ସର୍ବାଧିକ ୨,୭୫୦ଟି ପଦବି ଖାଲି ରହିଛି। ଏହା ବ୍ୟତୀତ ବରିଷ୍ଠ କିରାଣୀ ତଥା ଟାଇପିଷ୍ଟ ପାଇଁ ୩୭୧ଟି, କନିଷ୍ଠ ହିସାବରକ୍ଷକ ସହଯୋଗୀ ତଥା ଟାଇପିଷ୍ଟ ପାଇଁ ୩୦୦ଟି ଏବଂ ଚିଫ୍ କମର୍ସିଆଲ୍ ତଥା ଟିକେଟ୍ ସୁପରଭାଇଜର ପାଇଁ ୫୬ଟି ପଦବି ମଞ୍ଜୁର ହୋଇଛି। ସେହିଭଳି ଅଣ୍ଡର ଗ୍ରାଜୁଏଟ୍ ବା କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ବର୍ଗରେ କମର୍ସିଆଲ୍ ତଥା ଟିକେଟ୍ କ୍ଲର୍କ ପାଇଁ ୭୦୦ଟି, ଜୁନିୟର କ୍ଲର୍କ ତଥା ଟାଇପିଷ୍ଟ ପାଇଁ ୬୦୦ଟି, ଆକାଉଣ୍ଟସ୍ କ୍ଲର୍କ ତଥା ଟାଇପିଷ୍ଟ ପାଇଁ ୨୦୦ଟି ଏବଂ ଟ୍ରେନ୍ କ୍ଲର୍କ ପାଇଁ ୧୮୮ଟି ପଦବୀ ସ୍ଥିର କରାଯାଇଛି।
ଏହି ନିଯୁକ୍ତି ପ୍ରକ୍ରିୟା କେବେ ଏବଂ କିପରି ଚାଲିବ, ସେ ନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ମଧ୍ୟ ପ୍ରକାଶ ପାଇଛି। ସୂଚନା ଅନୁସାରେ ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ମଧ୍ୟରେ ପ୍ରଧାନ ମୁଖ୍ୟ କାର୍ମିକ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ତରରେ ସମସ୍ତ ପ୍ରକାର ଆବଶ୍ୟକୀୟ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହେବ। ଏହା ପରେ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ଭିତରେ ରେଳବାଇ ନିଯୁକ୍ତି ବୋର୍ଡ ଏବଂ ସେପ୍ଟେମ୍ବର ୨୬ ତାରିଖରୁ ନୋଡାଲ୍ ଆରଆରବି ସ୍ତରରେ ନିଯୁକ୍ତି ପ୍ରକ୍ରିୟାର ପରବର୍ତ୍ତୀ କାର୍ଯ୍ୟ ଆଗକୁ ବଢ଼ିବ। ଆଗାମୀ ଦିନରେ ଅଫିସିଆଲ୍ ଭାବେ କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି ପାଇବା ପରେ ଯାଇ ଆବେଦନ କରିବାର ନିର୍ଦ୍ଦିଷ୍ଟ ତାରିଖ, ବୟସର ସୀମା, ଶିକ୍ଷାଗତ ଯୋଗ୍ୟତା ଏବଂ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିସ୍ତୃତ ସୂଚୀ ଆସିବ।
ଟାଇପିଂ ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ପାଇଁ ଭାଷା ବାଛିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଜାରି କରାଯାଇଛି। ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟା ୭ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ହିନ୍ଦୀ କିମ୍ବା ଇଂରାଜୀ ମଧ୍ୟରୁ ଯେକୌଣସି ଗୋଟିଏ ଭାଷା ବାଛିବାକୁ ପଡ଼ିବ; ଯଦି କେହି ଏହା ନକରନ୍ତି। ତେବେ ତାଙ୍କୁ ବାଧ୍ୟତାମୂଳକ ଭାବେ ଇଂରାଜୀ ମାଧ୍ୟମରେ ହିଁ ଟାଇପିଂ ପରୀକ୍ଷା ଦେବାକୁ ହେବ। ଏହି ପରୀକ୍ଷା ସମୁଦାୟ ୧୬ ମିନିଟ୍ ସମୟ ଧରି ଚାଲିବ, ଯେଉଁଥିରେ ଆରମ୍ଭରୁ ଅଭ୍ୟାସ ପାଇଁ ୧ ମିନିଟ୍ ୱାର୍ମ-ଅପ୍, ପରେ ୫ ମିନିଟ୍ର ବିଶ୍ରାମ ଏବଂ ଶେଷରେ ୧୦ ମିନିଟ୍ ମୁଖ୍ୟ ଟାଇପିଂ ପାଇଁ ମିଳିବ। ଏଥିରେ ପାସ୍ କରିବାକୁ ହେଲେ ଇଂରାଜୀରେ ମିନିଟ୍ ପିଛା ଅତିକମରେ ୩୦ଟି ଶବ୍ଦ ଏବଂ ହିନ୍ଦୀରେ ମିନିଟ୍ ପିଛା ୨୫ଟି ଶବ୍ଦ ଟାଇପ୍ କରିବା ଏକାନ୍ତ ଆବଶ୍ୟକ।
ସୌଜନ୍ୟ ସମ୍ବାଦ