ମନୋରଞ୍ଜନ

A wonderful journey: ଆତ୍ମସନ୍ଧାନର ଚମତ୍କାର ଯାତ୍ରା

ଆଧ୍ୟାତ୍ମିକତା ଓ ଭକ୍ତିକୁ ନେଇ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ସାଧାରଣତଃ ଚମତ୍କାରିତା ଓ ଭବ୍ୟ ଦୃଶ୍ୟର ଆକର୍ଷଣ ଉପରେ ନିର୍ଭର କରିଥାଏ। କିନ୍ତୁ ପ୍ରସିଦ୍ଧ ନୀମ କରୋଲି ବାବାଙ୍କ ଜୀବନର ଅଜଣା ଘଟଣାବଳୀକୁ ନେଇ ନିର୍ମିତ ‘ହନୁମାନ ଅଂଶ’ ଏକ ଭିନ୍ନ ମାର୍ଗ ଚୟନ କରିଛି।

ଆଧ୍ୟାତ୍ମିକତା ଓ ଭକ୍ତିକୁ ନେଇ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ସାଧାରଣତଃ ଚମତ୍କାରିତା ଓ ଭବ୍ୟ ଦୃଶ୍ୟର ଆକର୍ଷଣ ଉପରେ ନିର୍ଭର କରିଥାଏ। କିନ୍ତୁ ପ୍ରସିଦ୍ଧ ନୀମ କରୋଲି ବାବାଙ୍କ ଜୀବନର ଅଜଣା ଘଟଣାବଳୀକୁ ନେଇ ନିର୍ମିତ ‘ହନୁମାନ ଅଂଶ’ ଏକ ଭିନ୍ନ ମାର୍ଗ ଚୟନ କରିଛି। ଏହି ଚଳଚ୍ଚିତ୍ରରେ ରହିଛି ମାଆଙ୍କ ମୃତ୍ୟୁ ପରେ ଜଣେ ଶିଶୁ କିପରି ଈଶ୍ୱର ସନ୍ଧାନରେ ଘର ଛାଡ଼ି ଚାଲିଯାଉଛି ଏବଂ ଭକ୍ତି ଓ ସାଧନା ବଳରେ ଜଣେ ସିଦ୍ଧ ପୁରୁଷ ପାଲଟୁଛି। ବିଶାଲ ଚତୁର୍ବେଦୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ସରଳତା। କାହାଣୀଟି ଆଧ୍ୟାତ୍ମିକତାକୁ ଧାର୍ମିକ ଅନୁଭବରେ ସୀମିତ ନ ରଖି ମଣିଷ ପ୍ରତି ମଣିଷର ଭଲପାଇବା ଓ ନିଃସ୍ୱାର୍ଥ ସେବା ସହିତ ଯୋଡ଼ିଛି। ନୀମ କରୋଲି ବାବାଙ୍କ ଚରିତ୍ରରେ ଶୋଭିନବ ସତ୍ୟଙ୍କ ଅଭିନୟ ଖୁବ୍ ସଂଯତ ଓ ପ୍ରଭାବଶାଳୀ ହୋଇଛି। ସେ ଅଯଥା ନାଟକୀୟତା ବିନା ଚରିତ୍ରର ଆଧ୍ୟାତ୍ମିକ ଗଭୀରତାକୁ ଯେଉଁଭଳି ପରଦାରେ ଦେଖାଇଛନ୍ତି ତାହା ଚିତ୍ରନାଟ୍ୟର ଅଭାବବୋଧକୁ ଅନେକ ସ୍ଥାନରେ ଅନୁଭବ ହେବାକୁ ଦେଇ ନଥାଏ। ବାଲ୍ୟାବସ୍ଥାର ଲକ୍ଷ୍ମୀ ନାରାୟଣ ଭୂମିକାରେ ଭିହାନ ଶେଡ଼ଗେ ମଧ୍ୟ ଭଲ ଛାପ ଛାଡ଼ିଛନ୍ତି। ଅଭିନେତାମାନଙ୍କ ଦକ୍ଷତା ଓ ସୁମଧୁର ସଂଗୀତ ଚଳଚ୍ଚିତ୍ରର ଉଲ୍ଲେଖନୀୟ ବିଶେଷତ୍ବ।

ଏହି କାହାଣୀକୁ ସାଂସାରିକ ଜୀବନ ପ୍ରତି ବୀତସ୍ପୃହ ଜଣେ ବ୍ୟକ୍ତିଙ୍କ ଜୀବନଯାତ୍ରା ରୂପେ ଦେଖାଯାଇପାରେ। ଏ ପରିପ୍ରେକ୍ଷୀରେ ୨୦୦୭ ମସିହାର ହଲିଉଡ୍ ଚଳଚ୍ଚିତ୍ର ‘ଇନ୍‌ଟୁ ଦି ଵାଇଲ୍‌ଡ’ର ନାୟକ କଥା ମନେପଡ଼େ, ଯିଏ ଭିନ୍ନ ପରିସ୍ଥିତିରେ ହେଲେ ମଧ୍ୟ ଘରୁ ଚାଲିଯାଇ ଜଙ୍ଗଲରେ ଏକାକୀ ରହିବାକୁ ଚେଷ୍ଟା କରି କରୁଣ ଭାବେ ମୃତ୍ୟୁବରଣ କରିଛି। ହେଲେ ‘ହନୁମାନ ଅଂଶ’ରେ ନୀମ କରୋଲି ବାବାଙ୍କ ଗୃହତ୍ୟାଗ ଯୋଗୁଁ ତାଙ୍କ ପରିବାର କ୍ଷତି ସହିଥିଲେ ହେଁ ସେ ନିଜେ ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟମାନେ ସୁଖୀ ଓ ସନ୍ତୁଷ୍ଟ ଜୀବନଯାପନ କରିଛନ୍ତି। ଏହାକୁ ଭାରତୀୟ ସମାଜ ଓ ଆଧ୍ୟାତ୍ମିକ ଦର୍ଶନର ସଫଳତା ଭାବେ ଦେଖାଯାଇପାରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button