Donald Trump: ନେତାନ୍ୟାହୁଙ୍କ ଗିରଫଦାରୀ ୱାରେଣ୍ଟ ଜାରି: ଆଇସିସି ବିରୋଧରେ କଟକଣା ଲାଗୁ କରିବାକୁ ଟ୍ରମ୍ପଙ୍କ ଯୋଜନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ଉପରେ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏନେଇ ଏକ ଘୋଷଣା ହୋଇପାରେ।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ଉପରେ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏନେଇ ଏକ ଘୋଷଣା ହୋଇପାରେ। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ଚଳିତ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ସମୟରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ। ତେବେ ଆମେରିକା ବୈଦେଶିକ ବିଭାଗ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ।ଆଇସିସି ସାରା ବିଶ୍ୱରେ ଯୁଦ୍ଧ ଅପରାଧ, ଗଣହତ୍ୟା ଏବଂ ମାନବତା ବିରୋଧୀ ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ କରିଥାଏ। କୋର୍ଟ ୨୦୦୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯେତେବେଳେ କୌଣସି ଦେଶର ସରକାର ନିଜସ୍ୱ ଭାବରେ ଏପରି ଗମ୍ଭୀର ଅପରାଧର ତଦନ୍ତ କରିବାକୁ ଅସମର୍ଥ କିମ୍ବା ଅନିଚ୍ଛୁକ ହୁଅନ୍ତି, ସେତେବେଳେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଯୁକ୍ତରାଷ୍ଟ୍ର ଆଇସିସିର ସଦସ୍ୟ ନୁହେଁ। ପ୍ରତିବନ୍ଧକ ଲଗାଇବା ଦ୍ୱାରା ଯୁକ୍ତରାଷ୍ଟ୍ର ଏବଂ ଆଇସିସି ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ରହିଛି।
ଟ୍ରମ୍ପ ପ୍ରଶାସନ ଆଇସିସିକୁ ବିରୋଧ
ଟ୍ରମ୍ପ ପ୍ରଶାସନ ଦୀର୍ଘ ଦିନ ଧରି ଆଇସିସିକୁ ବିରୋଧ କରିଆସୁଛନ୍ତି। ଆମେରିକୀୟ ଅଧିକାରୀମାନେ ଚାହୁଁଛନ୍ତି ଯେ, ଆଇସିସି ଇସ୍ରାଏଲୀ ନେତାମାନଙ୍କ ବିରୋଧରେ ଜାରି ହୋଇଥିବା ଗିରଫଦାରୀ ୱାରେଣ୍ଟକୁ ପ୍ରତ୍ୟାହାର କରୁ। ଆମେରିକା ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ସହ ଜଡିତ ଆଇସିସିର ପୂର୍ବ ତଦନ୍ତକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛି।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଜୁଲାଇ ମାସରେ ଆଇସିସିକୁ ଅଲଗା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ଅନ୍ୟ ଦେଶମାନଙ୍କୁ ଆଇସିସିରୁ ଓହରି ଯିବାକୁ ମଧ୍ୟ ଅନୁରୋଧ କରିଥିଲେ। ଆମେରିକା ପୂର୍ବରୁ ଅନେକ ଆଇସିସି ବିଚାରପତି ଏବଂ ପବ୍ଲିକ ପ୍ରସିକ୍ୟୁଟରଙ୍କ ଉପରେ ପ୍ରତିବନ୍ଧକ ଲଗାଇସାରିଛି। ତେବେ ସମ୍ପୂର୍ଣ୍ଣ ଆଇସିସି ସଂଗଠନ ଉପରେ ଏପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ହୋଇନାହିଁ।
ଯଦି ଆମେରିକୀୟ ଟ୍ରେଜେରୀ ବିଭାଗ ସମ୍ପୂର୍ଣ୍ଣ ଆଇସିସି ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଆମେରିକୀୟ ନାଗରିକ ଏବଂ କମ୍ପାନିଗୁଡ଼ିକ ସ୍ୱତନ୍ତ୍ର ଅନୁମତି ବିନା ଆଇସିସିକୁ ଟଙ୍କା, ସାମଗ୍ରୀ କିମ୍ବା ସେବା ପ୍ରଦାନ କରିପାରିବେ ନାହିଁ। ଆମେରିକୀୟ ଆର୍ଥିକ ବ୍ୟବସ୍ଥା ଉପରେ ନିର୍ଭରଶୀଳ ବ୍ୟାଙ୍କଗୁଡ଼ିକ ମଧ୍ୟ ଏପରି କାରବାରରୁ ନିବୃତ୍ତ ରହିପାରନ୍ତି। ଏହା ଆଇସିସିର ଆଇଟି ସେବା, ବୀମା, ତଦନ୍ତକାରୀଙ୍କୁ ନିଯୁକ୍ତି ଏବଂ ଦୈନନ୍ଦିନ ବ୍ୟାଙ୍କିଂ କାର୍ଯ୍ୟକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। କୋର୍ଟର ଆମେରିକୀୟ କର୍ମଚାରୀମାନଙ୍କୁ ଦେୟ ଦେବା ମଧ୍ୟ କଷ୍ଟକର ହୋଇପାରେ।
ସୌଜନ୍ୟ ସମ୍ବାଦ




