PTI: ଇମ୍ରାନଙ୍କ ମୁକ୍ତି ଦାବିରେ ପିଟିଆଇର ଅଭିଯାନ: ସିଲ୍ ହେଲା ଇସଲାମାବାଦ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପକ୍ଷରୁ ହେବାକୁ ଥିବା ବିଶାଳ ଇସଲାମାବାଦ ମାର୍ଚ୍ଚକୁ ନେଇ ସରକାର ଓ ସେନା ପ୍ରଶାସନ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପକ୍ଷରୁ ହେବାକୁ ଥିବା ବିଶାଳ ଇସଲାମାବାଦ ମାର୍ଚ୍ଚକୁ ନେଇ ସରକାର ଓ ସେନା ପ୍ରଶାସନ ମଧ୍ୟରେ ଆତଙ୍କ ଖେଳିଯାଇଛି। ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ରାଜଧାନୀ ଇସଲାମାବାଦକୁ ପ୍ରାୟ ୨୦ ହଜାର ସିପିଂ କଣ୍ଟେନର, ଲୁହା କଣ୍ଟା ଏବଂ ୱେଲଡିଂ ବାରିକେଡ୍ ସାହାଯ୍ୟରେ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ସ୍ଥାନୀୟ ଗଣମାଧ୍ୟମ ଏହାକୁ ରାଜନୈତିକ କାର୍ଯ୍ୟକ୍ରମ ବଦଳରେ ଆକ୍ରମଣର ପ୍ରସ୍ତୁତି ବୋଲି କହି କଡ଼ା ସମାଲୋଚନା କରିଛି। ଏହି ମାର୍ଚ୍ଚକୁ ଜମାତ-ଏ-ଇସଲାମୀ ଏବଂ କୃଷକ ସଂଗଠନଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି।
ହାଇଆଲର୍ଟରେ ହସ୍ପିଟାଲ
୨୦ ହଜାର କଣ୍ଟେନର, ବାରିକେଡ୍ ଘେରରେ ରାଜଧାନୀ
୧୫୦୦ରୁ ଊର୍ଦ୍ଧ୍ୱ ଗିରଫ
ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଇସଲାମାବାଦର ସମସ୍ତ ପ୍ରମୁଖ ହସ୍ପିଟାଲକୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରକ୍ତ ଭଣ୍ଡାରଗୁଡ଼ିକରେ ଅତି କମ୍ରେ ୧୦୦ ବ୍ୟାଗ୍ ରକ୍ତ ସଂରକ୍ଷିତ ରଖିବା ସହ ଆମ୍ବୁଲାନ୍ସଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ସାଧାରଣ ଅପରେସନ୍ଗୁଡ଼ିକୁ ସ୍ଥଗିତ ରଖାଯାଇଛି ଏବଂ ସୁସ୍ଥ ହେଉଥିବା ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରାଯାଇଛି। ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସହରର ହସ୍ପିଟାଲଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି।
ସୌଜନ୍ୟ ସମ୍ବାଦ




