ରାଜ୍ୟ

AYUSH: ଆୟୁଷରେ ପ୍ରଶାସନିକ ସ୍ଥାଣୁତା: ଆୟୁର୍ବେଦର ୩୬ ପଦବି ଖାଲି, ପଦୋନ୍ନତି ଅପେକ୍ଷାରେ ବରିଷ୍ଠ ଡାକ୍ତର, ସରକାରଙ୍କୁ ଲେଖିଲେ ଚିଠି

ରାଜ୍ୟ ଆୟୁଷରେ ପ୍ରଶାସନିକ ସ୍ଥାଣୁତା ଦେଖାଦେଇଛି। ହୋମିଓପ୍ୟାଥିକ ମେଡିକାଲ କଲେଜରେ ଶିକ୍ଷକ ମରୁଡ଼ି ଚିନ୍ତାରେ ପକାଇଛି। ଆୟୁର୍ବେଦରେ ବହୁ ଉଚ୍ଚପଦସ୍ଥ ପଦବି ଖାଲି ପଡ଼ିଛି।

ଭୁବନେଶ୍ବର: ରାଜ୍ୟ ଆୟୁଷରେ ପ୍ରଶାସନିକ ସ୍ଥାଣୁତା ଦେଖାଦେଇଛି। ହୋମିଓପ୍ୟାଥିକ ମେଡିକାଲ କଲେଜରେ ଶିକ୍ଷକ ମରୁଡ଼ି ଚିନ୍ତାରେ ପକାଇଛି। ଆୟୁର୍ବେଦରେ ବହୁ ଉଚ୍ଚପଦସ୍ଥ ପଦବି ଖାଲି ପଡ଼ିଛି। ରାଜ୍ୟ ସରକାର ଆୟୁଷକୁ ଲୋକପ୍ରିୟ କରିବା ପାଇଁ ଉଦ୍ୟମ କରୁଥିବା କହୁଛନ୍ତି। ନୂଆ ମେଡିକାଲ ଖୋଲିବା ନେଇ ଘୋଷଣା ହେଉଛି। ହେଲେ ଆୟୁଷ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ଏକ ପ୍ରମୁଖ ଆହ୍ବାନ ପାଲଟିଛି।

ରାଜ୍ୟରେ ଏବେ ଜିଲ୍ଲା ଆୟୁର୍ବେଦିକ ଅଧିକାରୀ(ଡିଏଏମ୍‌ଓ), ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ, ସୁପରିନ୍‌ଟେ‌ଣ୍ଡେଣ୍ଟ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକକୁ ମିଶାଇ ସମୁଦାୟ ୩୬ଟି ପଦ ଖାଲି ପଡ଼ିଛି। ତହିଁରୁ ୩୦ ଜିଲ୍ଲାରେ ଡିଏଏମ୍‌ଓ ପଦବିରୁ ୨୮ଟି ଖାଲି ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ବରିଷ୍ଠ ଡାକ୍ତରଙ୍କୁ କାମଚଳାଭାବେ ଡିଏଏମ୍‌ଓ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ଶତାଧିକ ଆୟୁର୍ବେଦିକ ଡାକ୍ତର ପଦୋନ୍ନତି ଅପେକ୍ଷାରେ ରହିଛନ୍ତି। ଡିଏଏମ୍‌ଓ ପଦକୁ ଯିବା ପାଇଁ ବରିଷ୍ଠ ଡାକ୍ତରଙ୍କ ଆବଶ୍ୟକ ପରୀକ୍ଷାମୂଳକ ଅବଧି(ପ୍ରୋବେସନ୍‌ ପିରିୟଡ୍‌)କୁ ସେମାନେ ଗତ ଜୁଲାଇ ୧୫ରେ ପୂରଣ କରିସାରିଛନ୍ତି।
ହେଲେ ବିଭାଗୀୟ ପଦୋନ୍ନତି(ଡିପିସି) ବୈଠକ ବସି ନ ଥିବାରୁ ସେମାନଙ୍କ ପଦୋନ୍ନତି ବିଳମ୍ବ ହେଉଛି। ଏପରିକି ୨୦୨୩ ମସିହାରୁ ରାଜ୍ୟ ଆୟୁର୍ବେଦ କ୍ୟାଡରରେ କୌଣସି ପଦୋନ୍ନତି ହୋଇନାହିଁ। ଏହା ଭିତରେ ଅନେକ ଅବସର ମଧ୍ୟ ଗ୍ରହଣ କରିସାରିଲେଣି। କିଛି ଆୟୁର୍ବେଦିକ ଡାକ୍ତର ନିକଟରେ ବିଭାଗୀୟ ପଦୋନ୍ନତି ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ, ଆୟୁଷ ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ପଦୋନ୍ନତି ମିଳିବାରେ ବିଳମ୍ବକୁ ନେଇ ଡାକ୍ତରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରାୟ ସବୁ ଡିଏଏମ୍‌ଓଙ୍କ ସମେତ ଅନ୍ୟ ପଦବି ଖାଲି ରହିଥିବାରୁ ରାଜ୍ୟରେ ଆୟୁର୍ବେଦିକ ସେବା ପ୍ରଦାନରେ ବାଧା ଉପୁଜୁଛି। ତେଣୁ ଯଥାଶୀଘ୍ର ଡିପିସି କରାଗଲେ ଖାଲି ପଡ଼ିଥିବା ପଦବି ପୂରଣ ହେବା ସହ ଚିକିତ୍ସା ସେବା ତ୍ବରାନ୍ବିତ ହୋଇପାରିବ। ଏ ସଂପର୍କରେ ରାଜ୍ୟ ଆୟୁଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆୟୁର୍ବେଦିକ ଡାକ୍ତରଙ୍କ ପଦୋନ୍ନତି ନେଇ ଖୁବଶୀଘ୍ର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button