Repair of the damaged road: ଖରାପ ରାସ୍ତାର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ: ରାସ୍ତାର ମାନ ଖରାପ ହେଲେ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଚଳିତବର୍ଷ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା, ବନ୍ୟା, ଭୂସ୍ଖଳନ ଯୋଗୁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇ ଯାଇଛି। ତେଣୁ ଏହି ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ହୋଇଥିବା ଲଗାଣ ବର୍ଷା, ବନ୍ୟା, ଭୂସ୍ଖଳନ ଯୋଗୁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇ ଯାଇଛି। ତେଣୁ ଏହି ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା, କଳିଙ୍ଗା ଘାଟି ରାସ୍ତା ସମେତ କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ସହର, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ପାରାଦୀପ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ମରାମତି ନେଇ ସମୀକ୍ଷା ହୋଇଥିଲା।
କାର୍ଯ୍ୟରେ ଅବହେଳା କଲେ ଅଧିକାରୀ, ରାସ୍ତାର ମାନ ଖରାପ ହେଲେ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ରାଜ୍ୟବାସୀଙ୍କୁ ଉତ୍ତମ ରାସ୍ତା ଯୋଗାଇବା ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ବ। ତେଣୁ ଏଥିରେ କୌଣସି ପ୍ରକାରର ସାଲିସ୍ ନକରି ତୁରନ୍ତ ସମସ୍ତ ରାସ୍ତା ମରାମତି ହେବା ଦରକାର। ସେହିପରି ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ନିୟମିତ ଭାବେ ନିଜ ଅଧୀନରେ ଥିବା ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି ୧୫ ଦିନରେ ରିପୋର୍ଟ ପ୍ରଦାନ କରିବେ। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉପସ୍ଥିତ ରହି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବେ। ରାସ୍ତା ନିର୍ମାଣ ଓ ମରାମତିବେଳେ ଗୁଣବତ୍ତା କ୍ଷେତ୍ରରେ ଖରାପ ପ୍ରଦର୍ଶନ କରୁଥିବା ଠିକାଦାର ଓ ଠିକା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ।
ସୌଜନ୍ୟ ସମ୍ବାଦ




