Computer Vision Syndrome ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଛି ‘କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍’: ଏମ୍ସ-ଭୁବନେଶ୍ବରରେ ମାସକୁ ୬ହଜାର ରୋଗୀ
ଦୀର୍ଘ ସମୟ ସ୍କ୍ରିନ୍ ବ୍ୟବହାର ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଚିନ୍ତା ବଢ଼ୁଛି। ଏମ୍ସ ଭୁବନେଶ୍ୱରରେ ମାସକୁ ୫ରୁ ୬ ହଜାର ଚକ୍ଷୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

ଚକ୍ଷୁ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ପାଇଁ ‘ୱାକାଥନ୍’ (ପଦଯାତ୍ରା) ଆୟୋଜିତ
ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍ କିମ୍ବା କମ୍ପ୍ୟୁଟର୍ ସ୍କ୍ରିନ୍ ସଂସ୍ପର୍ଶରେ ରହିବା, ଆଖିର ପର୍ଯ୍ୟାପ୍ତ ଯତ୍ନ ନନେବା ଓ ପ୍ରାରମ୍ଭିକ ନକାରାତ୍ମକ ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ସମସ୍ୟାଗୁଡ଼ିକର ଚିହ୍ନଟ କିମ୍ବା ଚିକିତ୍ସା କରା ନ ଯାଏ, ତେବେ ଏହା ଗୁରୁତର ଦୃଷ୍ଟିହାନୀ କିମ୍ବା ଅନ୍ଧତ୍ୱର କାରଣ ହୋଇପାରେ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ ଆଶୁତୋଷ ବିଶ୍ବାସ କହିଛନ୍ତି।
ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ପ୍ରତିଦିନ ପ୍ରାୟ ଅଢ଼େଇଶହରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଥାଏ। ମାସିକ ପ୍ରାୟ ପାଞ୍ଚ ହଜାରରୁ ଛଅ ହଜାର ରୋଗୀ ଏଠାକୁ ଚକ୍ଷୁ ଚିକିତ୍ସା ଏବଂ ପରାମର୍ଶ ନିମନ୍ତେ ଆସିଥାନ୍ତି। ସାଧାରଣତଃ ଆଜିକାଲି ଦେଖାଯାଉଥିବା ଚକ୍ଷୁ ସମସ୍ୟାଗୁଡ଼ିକ ମଧ୍ୟରେ ରିଫ୍ରାକ୍ଟିଭ୍ ଏରର୍ (ଦୃଷ୍ଟିଶକ୍ତି ଜନିତ ତ୍ରୁଟି), ମୋତିଆବିନ୍ଦୁ, ଡାଇବେଟିକ୍ ରେଟିନୋପାଥି, ଗ୍ଲୁକୋମା ଏବଂ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ବୋଲି ଡା ବିଶ୍ବାସ କହିଛନ୍ତି। ତଥାପି, ସମୟୋଚିତ ଚିକିତ୍ସା ମାଧ୍ୟମରେ ଅନେକ କ୍ଷେତ୍ରରେ ଦୃଷ୍ଟିଶକ୍ତି ହରାଇବାକୁ ରୋକାଯାଇପାରିବ, ଏହାର ଫଳପ୍ରଦ ପରିଚାଳନା କରାଯାଇପାରିବ କିମ୍ବା ଚିକିତ୍ସା କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




