କାଳିଆପାଣି (ରବି ନାରାୟଣ କର): ପିଢ଼ି ପରେ ପିଢ଼ି ଉପେକ୍ଷିତ ହୋଇରହିଥିବା ବିଲୁପ୍ତ ମାଙ୍କିଡ଼ିଆ ଜନଜାତିର ୬ ବୁଢ଼ାବୁଢ଼ୀଙ୍କୁ ମୃତ ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଭତ୍ତା ବନ୍ଦ୍ କରିଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି।
ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କିଡ଼ିଆ ବସ୍ତିର ନିରିକା ମାଙ୍କିଡ଼ିଆ(୭୦) ଓ କର ମାଙ୍କିଡ଼ିଆ(୭୮) ଦମ୍ପତି, ନୁପାଲ ମାଙ୍କିଡ଼ିଆ(୭୨) ଓ ଗୁରୁ ମାଙ୍କିଡ଼ିଆ(୭୭) ଦମ୍ପତି ଏବଂ କବିରାଜ ମାଙ୍କିଡ଼ିଆ(୭୦), ସ୍ବର୍ଗତ ସାଲଖାନ ମାଙ୍କିଡ଼ିଆଙ୍କ ପତ୍ନୀ ବିଧବା ଗଡ଼ଇ ମାଙ୍କିଡ଼ିଆ(୭୨) ଓ ଭୀମଟାଙ୍ଗର ଗାଁର ବିଧବା ଗୋଲାପ ମହାନ୍ତ(୬୬) ଏବେ ଭତ୍ତା ଅଭାବରୁ ବାଧ୍ୟରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି।
ମାନସିକ ଭାବେ ଭାଙ୍ଗି ପଡ଼ିଲେ ବୟସ୍କ
ଭଙ୍ଗାଦଦରା କୁଡ଼ିଆରେ ଅତି ଦୟନୀୟ ଭାବେ ରହୁଥିବା ଏହି ୭ ବରିଷ୍ଠ ନାଗରିକମାନଙ୍କ ପାଇଁ ପରିଣତ ବୟସରେ ସମ୍ବଳ ହୋଇଥିବା ଭତ୍ତା ଟଙ୍କା ଅଭାବରୁ ସମସ୍ତଙ୍କ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ସରକାରୀ ସମ୍ବଳ ବିନା ସ୍ବାଭିମାନ ହରାଇ ସବୁଦିନ ପର ଦୁଆରେ ହାତ ପାତିବାକୁ ପଡ଼ୁଥିବା ଦର୍ଶାଇ ନିରିକା, ନୁପାଲ ଓ ଗଡ଼ଇ କାନ୍ଦି ପକାଇଥିଲେ। ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହେବା ପରେ ଦୁଃଖ ଜଣାଇବା ପାଇଁ ୪ ମାସ ଧରି ସେମାନେ ଘର ଠାରୁ ୫ କିଲୋମିଟର ଚାଲିଚାଲି ପଞ୍ଚାୟତ ଅଫିସ ଯାଉଛନ୍ତି। ସରପଞ୍ଚ ଓ ପିଇଓଙ୍କୁ ଗୁହାରି ସତ୍ତ୍ବେ କେହି ତାଙ୍କ ଆପତ୍ତି ଓ ଅଭିଯୋଗ ଶୁଣୁନଥିବା ସମସ୍ତେ ଅଭିଯୋଗ କରନ୍ତି।
ସୌଜନ୍ୟ ସମ୍ବାଦ