High Court: ହାଇକୋର୍ଟ ନିକଟରୁ ଉଠିଯିବ ସବୁ ସରକାରୀ କାର୍ଯ୍ୟାଳୟ: ରାଜସ୍ବ ପର୍ଷଦ, କେନ୍ଦ୍ରାଞ୍ଚଳ ଆର୍ଡିସି, ଆଇଜିଆର୍, ଜମି ରେକର୍ଡ କାର୍ଯ୍ୟାଳୟ ଉଠିଯିବ
ଓଡ଼ିଶା ହାଇକୋର୍ଟ ଚାରିପଟ ଅଞ୍ଚଳରେ ଥିବା ଅନ୍ୟ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। ସେଠାରେ କେବଳ ଅଦାଲତ ଅଥବା ଆଇନ ବିଭାଗ ସହ ଜଡ଼ିତ କାର୍ଯ୍ୟାଳୟ ରହିବ। ଏ ପ୍ରକାର ଏକ ନୂଆ ଯୋଜନା ସହିତ ହାଇକୋର୍ଟ ଅଞ୍ଚଳକୁ ନୂଆ ରୂପ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

କଟକ: ଓଡ଼ିଶା ହାଇକୋର୍ଟ ଚାରିପଟ ଅଞ୍ଚଳରେ ଥିବା ଅନ୍ୟ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। ସେଠାରେ କେବଳ ଅଦାଲତ ଅଥବା ଆଇନ ବିଭାଗ ସହ ଜଡ଼ିତ କାର୍ଯ୍ୟାଳୟ ରହିବ। ଏ ପ୍ରକାର ଏକ ନୂଆ ଯୋଜନା ସହିତ ହାଇକୋର୍ଟ ଅଞ୍ଚଳକୁ ନୂଆ ରୂପ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଯଦିଓ ଏ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ, ତଥାପି ପୂର୍ତ୍ତ ବିଭାଗ ଡିପିଆର୍ ପ୍ରସ୍ତୁତ କରିଛି।
ଗତବର୍ଷ ଅଗଷ୍ଟରେ ବିଡ଼ାନାସୀ କୃଷକବଜାର ନିକଟରେ ଜିଲ୍ଲାପାଳଙ୍କ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ସ୍ଥିର ହୋଇଛି। ପ୍ରାୟତଃ ୨୦୨୮ ବେଳକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଫିସ୍ଗୁଡ଼ିକ ବିଡ଼ାନାସୀକୁ ଚାଲିଯିବ। ପାଖାପାଖି ୫ଏକର ଜମିରେ ଜି+୫ କୋଠା ନିର୍ମାଣ ଜାରି ରହିଛି। ଏହା ପାଖକୁ କିଛି ଖାଲି ଜାଗା ଚିହ୍ନଟ କରାଯାଇଛି। ସେଠାକୁ ରାଜସ୍ବ ପର୍ଷଦ କୋଠାରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟାଳୟ ଓ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟ ଚାଲିଯିବ। ସେହିଭଳି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) କାର୍ଯ୍ୟାଳୟକୁ ପ୍ରେସ୍ଛକର ନିଜସ୍ବ କୋଠାକୁ ସ୍ଥାନାନ୍ତର ପାଇଁ ଯୋଜନା ପ୍ରସ୍ତୁତ ହୋଇଯାଇଛି।
ବିଡ଼ାନାସୀରେ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିକଟରେ ଅତ୍ୟାଧୁନିକ କୋଠାକୁ ସ୍ଥାନାନ୍ତର ହେବେ
ଏସ୍ଟିଏ କାର୍ଯ୍ୟାଳୟ ପ୍ରେସ୍ଛକକୁ ସ୍ଥାନାନ୍ତର ହେବ
ରାଜସ୍ବ ପର୍ଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଚାଲୁଥିବା ବେଳେ ରାଜସ୍ବ ପର୍ଷଦ କୋଠାରେ ଆଇଜିଆର୍, ଏସ୍ଟିଏ, କ୍ୟାଟ୍, ଜମି ରେକର୍ଡ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଚକବନ୍ଦୀ କମିସନର, କଟକ ଏନ୍ଆଇସି ଭଳି ପାଖାପାଖି ୧୦ଟି କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ଆର୍ଡିସିଙ୍କ କୋଠାରେ ଭିନ୍ନଭିନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଣୁ ଜନଗହଳି ଏଠାରେ ଲାଗି ରହିଥାଏ। ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ କୋଠା ପାଇଁ ଏବେ ଡିପିଆର୍ ପ୍ରସ୍ତୁତ ଚାଲିଛି। ୮ରୁ୧୦ ମହଲା ବିଶିଷ୍ଟ କୋଠାରେ ରାଜସ୍ବ ପର୍ଷଦ ସହିତ ଅନ୍ୟାନ୍ୟ କାର୍ଯ୍ୟାଳୟ ଓ ଆର୍ଡିସି ଅଫିସ୍ ରହିବ। ଅନ୍ୟପଟେ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଆଇନ ବିଭାଗ କାର୍ଯ୍ୟାଳୟ ହାଇକୋର୍ଟ ନିକଟରେ କାର୍ଯ୍ୟ କରିବାର ଯୋଜନା ପ୍ରସ୍ତୁତ ସରିଛି।
ସୌଜନ୍ୟ ସମ୍ବାଦ




