KBC: କୋଟି କୋଟି ଟଙ୍କା ବାଣ୍ଟି ମଧ୍ୟ କେମିତି ମାଲାମାଲ୍ ହୁଏ ‘କେବିସି’ (KBC)? ଜାଣନ୍ତୁ ଏହାର ରୋଜଗାରର ଗୁପ୍ତ ରହସ୍ୟ
ଟେଲିଭିଜନର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ' 'କୌନ୍ ବନେଗା କରୋଡ଼ପତି' (KBC) ଦର୍ଶକଙ୍କୁ କେବଳ ମନୋରଞ୍ଜନ ଯୋଗାଏ ନାହିଁ, ବରଂ ଏହାର 'ହଟ୍ ସିଟ୍'ରେ ବସି ଅନେକ ସାଧାରଣ ଲୋକ ଲକ୍ଷପତି ହୋଇପାରନ୍ତି।

ନୂଆଦିଲ୍ଲୀ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’ (KBC) ଦର୍ଶକଙ୍କୁ କେବଳ ମନୋରଞ୍ଜନ ଯୋଗାଏ ନାହିଁ, ବରଂ ଏହାର ‘ହଟ୍ ସିଟ୍’ରେ ବସି ଅନେକ ସାଧାରଣ ଲୋକ ଲକ୍ଷପତି ହୋଇପାରନ୍ତି। ତେବେ ଏହି ଶୋ’ ପ୍ରତିବର୍ଷ ଲୋକଙ୍କୁ କୋଟି କୋଟି ଟଙ୍କା ପୁରସ୍କାର ଭାବେ ବାଣ୍ଟୁଥିବା ବେଳେ ଏହା ନିଜେ କିପରି ଏତେ ପରିମାଣରେ ଟଙ୍କା ରୋଜଗାର କରେ, ତାହା ସାଧାରଣତଃ ସମସ୍ତଙ୍କ ମନରେ ପ୍ରଶ୍ନ ଆଣେ। ପ୍ରକୃତରେ, ଲୋକଙ୍କୁ ଧନୀ କରୁଥିବା ଏହି ଶୋ’ କୌଣସି କ୍ଷତିରେ ନ ରହି ପ୍ରତିବର୍ଷ କୋଟିକୋଟି ଟଙ୍କାର ଲାଭ କମାଇଥାଏ। ଏହାର ସମସ୍ତ ଗଣିତ ଏକ ଦୃଢ଼ ବ୍ୟବସାୟିକ ମଡେଲ୍ (Business Model) ଉପରେ ପର୍ଯ୍ୟବସିତ।
ବିଜ୍ଞାପନ: ରୋଜଗାରର ସବୁଠାରୁ ବଡ଼ ମାଧ୍ୟମ
କୌନ୍ ବନେଗା କରୋଡ଼ପତିର ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ବିଜ୍ଞାପନ। ଟିଭିରେ ଶୋ’ ଚାଲିଥିବା ସମୟରେ ଆସୁଥିବା କ୍ଷୁଦ୍ର ବିରତି (ପାଇଁ ଚ୍ୟାନେଲ୍ଗୁଡ଼ିକ ବିଭିନ୍ନ କମ୍ପାନୀଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି। କେବିସିର ଟିଆରପି (TRP) ଏତେ ଅଧିକ ରହେ ଯେ ଦେଶବିଦେଶର ବଡ଼ବଡ଼ କମ୍ପାନୀମାନେ ନିଜର ଉତ୍ପାଦ ପ୍ରଚାର କରିବା ପାଇଁ ଆଗ୍ରହୀ ଥାଆନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୋ’ ମଧ୍ୟରେ ମାତ୍ର ୧୦ ସେକେଣ୍ଡର ବିଜ୍ଞାପନ ଦେଖାଇବା ପାଇଁ କମ୍ପାନୀଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ଦେଇଥାନ୍ତି। ଗୋଟିଏ ଘଣ୍ଟାର ଶୋ’ରେ ଏପରି ଅନେକ ମିନିଟ୍ର ବିଜ୍ଞାପନ ଦ୍ୱାରା ଚ୍ୟାନେଲକୁ ଗୋଟିଏ ରାତିରେ କୋଟି କୋଟି ଟଙ୍କାର ସିଧାସଳଖ ଆୟ ହୋଇଥାଏ।
ସ୍ପନ୍ସର୍ସିପ୍
ବିଜ୍ଞାପନ ବ୍ୟତୀତ ଦ୍ୱିତୀୟ ସର୍ବବୃହତ୍ ଆୟର ଉତ୍ସ ହେଉଛି ସ୍ପନ୍ସର୍ସିପ୍। ଶୋ’ ଆରମ୍ଭରେ ଆପଣ ଶୁଣିଥିବେ ଯେ ଏହା କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କିମ୍ବା ପାୱାର୍ଡ ବାଏ (Powered by) ହୋଇଥାଏ। ଏହାଛଡ଼ା, ଶୋ’ ଭିତରେ ବ୍ୟବହୃତ ପ୍ରତ୍ୟେକ ଜିିନିଷ କୌଣସି ନା କୌଣସି କମ୍ପାନୀ ଦ୍ୱାରା ପ୍ରାୟୋଜିତ ହୋଇଥାଏ। ଯେପରିକି- ଲାଇଫ୍ଲାଇନ୍ ବ୍ୟବହାର କରିବା ସମୟରେ କୌଣସି ଟେଲିକମ୍ କିମ୍ବା ଟେକ୍ କମ୍ପାନୀର ନାମ ନିଆଯିବା, ପ୍ରତିଯୋଗୀଙ୍କୁ ମିଳୁଥିବା ଚେକ୍ର ବ୍ୟାଙ୍କ୍ କିମ୍ବା ହଟ୍ ସିଟ୍ ପର୍ଯ୍ୟନ୍ତ ପହଞ୍ଚାଉଥିବା ‘ଫାଷ୍ଟେଷ୍ଟ୍ ଫିଙ୍ଗର୍ ଫାଷ୍ଟ୍’ ରାଉଣ୍ଡ ମଧ୍ୟ ବଡ଼ ବଡ଼ କମ୍ପାନୀଙ୍କ ଦ୍ୱାରା ସ୍ପନ୍ସର୍ କରାଯାଇଥାଏ। ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ ଏହି ସମସ୍ତ ଶୀର୍ଷକ ଏବଂ ଆସୋସିଏଟ୍ ସ୍ପନ୍ସର୍ମାନଙ୍କ ସହିତ ଶହ ଶହ କୋଟି ଟଙ୍କାର ଅଗ୍ରୀମ ଚୁକ୍ତି ପକ୍କା ହୋଇଯାଇଥାଏ, ଯାହା ଶୋ’ର ସମସ୍ତ ଖର୍ଚ୍ଚ ଏବଂ ପୁରସ୍କାର ରାଶିକୁ ସହଜରେ ଭରଣା କରିଥାଏ।
ସୌଜନ୍ୟ ସମ୍ବାଦ




