Fire Safety Violations: ଫାୟାର ସେଫ୍ଟି ଅଡିଟ୍ରେ ଧରାପଡ଼ିଲା ତ୍ରୁଟି, ୧୯୭ ପ୍ରତିଷ୍ଠାନକୁ ନୋଟିସ୍

ଭୁବନେଶ୍ୱର,୧୫/୧୦: ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସାରା ରାଜ୍ୟରେ “ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନ ଚଳାଇଛି ଅଗ୍ନିଶମ ବାହିନୀ । ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଗ୍ନିଶମ ନିରାପତ୍ତା ଅଡିଟ୍ ଅଭିଯାନରେ ମୋଟ ୪୫୮୦ଟି ସଂସ୍ଥାନ/ପ୍ରତିଷ୍ଠାନର ଯାଞ୍ଚ କରାଯାଇଛି ।
ସେଥିରୁ ଅଗ୍ନି ନିରାପତ୍ତାରେ ତ୍ରୁଟି ରହିଥିବା ଯୋଗୁ ୧୯୭ଟି ପ୍ରତିଷ୍ଠାନକୁ ନୋଟିସ୍ ଜାରି ହୋଇଛି । ତ୍ରୁଟି ସୁଧାରିବା ସହ ଆବଶ୍ୟକ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଏସବୁ ପ୍ରତିଷ୍ଠାନଗୁଡ଼ିକୁ ନୋଟିସ୍ ଜାରି ହୋଇଛି । ନିର୍ଦ୍ଦିଷ୍ଟ ସମୟସୀମାରେ ତ୍ରୁଟିଗୁଡ଼ିକର ନ ସୁଧାରିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ଅଗ୍ନିଶମ ବାହିନୀ ।
ଏହି ଅଭିଯାନରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ୩ ଦିନ ପୂର୍ବରୁ ୩,୪୦୩ ପ୍ରତିଷ୍ଠାନକୁ ଫର୍ମ-୮ ନୋଟିସ୍ ପଠାଯାଇଥିଲା । ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ବୈଧ କି ନୁହେଁ । ଆବଶ୍ୟକ ଅଗ୍ନିଶମ ଓ ନିରାପତ୍ତା ଉପକରଣଗୁଡ଼ିକ କାର୍ଯ୍ୟକ୍ଷମ ଅଛି ତ । ଜରୁରିକାଳୀନ ପ୍ରସ୍ଥାନ ପଥ ଅବରୋଧମୁକ୍ତ କି ନୁହେଁ । ଅଗ୍ନି ନିର୍ବାପନ ବ୍ୟବସ୍ଥା କାମ କରୁଛି କି ନାହିଁ । ଅଡିଟ୍ ବେଳେ ସେସବୁ ଦିଗକୁ ଯାଞ୍ଚ କରାଯାଇଥିଲା । ଅଗ୍ନିଶମ ଅଧିକାରୀମାନେ ସେଠାକାର କର୍ମକର୍ତ୍ତାଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କୌଶଳ ଶିଖାଇଥିଲେ ।
ସୌଜନ୍ୟ ପ୍ରମେୟ




