CJP foreign funding allegations: ହଲିଉଡ୍ ଗାୟିକାଙ୍କ ଅଭିଯୋଗ : ସିଜେପିକୁ ଆମେରିକାରୁ ଫଣ୍ଡିଂ, ଭାରତରେ ଅଶାନ୍ତି ପାଇଁ ଉଦ୍ୟମ

ନୂଆଦିଲ୍ଲୀ, ୧୫/୧୦: ହଲିଉଡ୍ ଗାୟିକା ମେରୀ ମିଲବେନ୍ କକ୍ରୋଚ ଜନତା ପାର୍ଟି(ସିଜେପି)କୁ ଆମେରିକାରୁ ଫଣ୍ଡିଂ ମିଳୁଥିବା ଅଭିଯୋଗ କରିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ଆମେରିକୀୟ ଦାତାମାନେ ସିଜେପିର ସଂସ୍ଥାପକ ଅଭିଜିତ ଦୀପ୍କେଙ୍କୁ ଅର୍ଥ ପଠାଉଛନ୍ତି । ଭାରତରେ ଅଶାନ୍ତି ପ୍ରସାରିତ କରିବା ଏବଂ ସରକାରୀ କାମରେ ବାଧା ସୃଷ୍ଟି ଲାଗି ସେହି ଅର୍ଥର ବ୍ୟବହାର କରାଯାଉଛି । ଏହା ବିରୋଧରେ ସେ ମୋଦିଙ୍କ ସମର୍ଥକ ଭାରତର ଯୁବଗୋଷ୍ଠୀଙ୍କୁ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଛନ୍ତି । ଏହା ଚୁପ୍ ରହିବାର ସମୟ ନୁହେଁ ବୋଲି ମିଲବେନ୍ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଫଣ୍ଡିଂ କରୁଥିବା କିଛି ଆମେରିକୀୟ ଅର୍ଥ ଯୋଗାଣକାରୀ ସାରା ବିଶ୍ୱରେ ଦକ୍ଷିଣପନ୍ଥୀ ନେତାଙ୍କୁ ଟାର୍ଗେଟ କରିବା ଲାଗି ଏକ ସୁଚିନ୍ତିତ ରଣନୀତି ଆପଣାଉଛନ୍ତି । ସେମାନେ କୌଣସି ଦେଶରେ ଆମେରିକାରେ ପଢ଼ିଥିବା ବ୍ୟକ୍ତିଙ୍କୁ ଖୋଜନ୍ତି । ତାଙ୍କୁ ମୌଳବାଦୀ କରି ପୁଣି ନିଜ ଦେଶକୁ ପଠାଇ ଦିଅନ୍ତି । ଏହାପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ଏବଂ ବିନାଶ ପାଇଁ ଫଣ୍ଡିଂ କରିଥାନ୍ତି । ପୋଷ୍ଟରେ ମିଲବେନ୍ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଯାତ୍ରାକୁ ମଧ୍ୟ ପ୍ରଶଂସା କରିଥିଲେ । ତାଙ୍କ ଅନୁସାରେ, ମୋଦିଜୀ ସରକାରରେ ୨୫ ବର୍ଷ ହେଲା ରହି ଲୋକଙ୍କ ସେବା କରୁଛନ୍ତି । ୧୨ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଅଛନ୍ତି । ସେ ଆମେରିକାରୁ ଆସିଥିବା ଏଭଳି ଶକ୍ତି ଆଗରେ ନଇଁବେ ନାହିଁ । ଏହା ପୂର୍ବରୁ ମିଲବେନ୍ ଚାଷୀ ଆନ୍ଦୋଳନ, ମଣିପୁର ହିଂସା, ଗୁଜରାଟ ଦଙ୍ଗା ଉପରେ ବିବିସି ପକ୍ଷରୁ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ସିଏଏ ଆଇନ ନେଇ ମୋଦିଙ୍କୁ ସମର୍ଥନ କରିଥିଲେ ।
ସୌଜନ୍ୟ ପ୍ରମେୟ




