ଜାତୀୟ

ଆଇଡିବିଆଇ ବ୍ୟାଙ୍କର ନୂଆ ମାଲିକ ହେବ ଫେୟରଫ୍ୟାକ, ଅଂଶଧନ ବିକ୍ରି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ,୧୫/୧୦: ଆଇଡିବିଆଇ ବ୍ୟାଙ୍କ୍‌ର ମାଲିକାନାସତ୍ୱରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର ସରକାର ବ୍ୟାଙ୍କର ୬୦.୭୨% ଅଂଶଧନକୁ କାନାଡାର ଫେୟରଫ୍ୟାକ୍ସ ଫାଇନାନ୍ସିଆଲ ହୋଲ୍ଡିଙ୍ଗ୍ସର ସହାୟକ କମ୍ପାନି ମେସର୍ସ ୧୦୯୫୫୨୩୦ କାନାଡା ଇଙ୍କ୍କୁ ୫୨,୮୭୮.୦୮ କୋଟି ଟଙ୍କାରେ ବିକ୍ରି କରିବେ । ଏ ସଂକ୍ରାନ୍ତ ପ୍ରସ୍ତାବକୁ  କ୍ୟାବିନେଟ ଅନୁମୋଦନ ମିଳିଛି । ଏହି ଚୁକ୍ତି ଅନ୍ତର୍ଗତ କେନ୍ଦ୍ର ସରକାର ନିଜର ୩୦.୪୮% ଏବଂ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) ଏହାର ୩୦.୨୪% ଅଂଶଧନ ବିକ୍ରି କରିବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, ଚୁକ୍ତି ସମ୍ପୂର୍ଣ୍ଣ ହେବା ପରେ ଏହା ଭାରତର ବିତ୍ତୀୟ କ୍ଷେତ୍ରରେ ଏଯାବତ ସବୁଠୁ ବଡ଼ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ହେବ । ଚୁକ୍ତି ଶେଷ ହେବା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଆଇଡିବିଆଇ ବ୍ୟାଙ୍କ୍‌ର ୧୫% ଏବଂ ଏଲ୍ଆଇସି ପାଖରେ ୧୯% ଅଂଶଧନ ରହିବ । ଉଭୟଙ୍କ ମୋଟ ଅଂଶଧନ ୩୪% ହେବ । ସରକାର ନିଜର ଅବଶିଷ୍ଟ ୧୫% ଅଂଶଧନର କିଛି ଭାଗକୁ ଆଗକୁ ଖୋଲା ବଜାରରେ ବିକ୍ରି କରିବାର ପ୍ରକ୍ରିୟା ବି ଆପଣାଇପାରନ୍ତି । ଯଦିଓ ଚୁକ୍ତି ସମ୍ପନ୍ନ ହେବା ପୂର୍ବରୁ ପ୍ରଥମ କ୍ରେତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ର ନିୟାମକୀୟ ସର୍ତ୍ତ ପାଳନ କରିବାକୁ ହେବ । ଏହାକୁ ନିଜର ଯୋଗ୍ୟତା ଏବଂ ବିତ୍ତୀୟ କ୍ଷମତା ସହ ଜଡ଼ିତ ଦସ୍ତାବିଜ ଦେବା ସହ ସୁରକ୍ଷା ମଞ୍ଜୁରୀ ବି ହାସଲ କରିବାକୁ ପଡ଼ିବ ।

ପ୍ରକାଶଯୋଗ୍ୟ, ଆଇଡିବିଆଇ ବ୍ୟାଙ୍କ୍ର ଅଂଶଧନ ବିକ୍ରି ପ୍ରକ୍ରିୟା ୨୦୨୨ ଅକ୍ଟୋବରରେ ଆରମ୍ଭ ହୋଇଥିଲା । ସରକାର ସମ୍ଭାବ୍ୟ କ୍ରେତାଙ୍କଠାରୁ ଆଗ୍ରହପତ୍ର ମାଗିଥିଲେ । ଆରମ୍ଭରେ ୫ଟି ଆଗ୍ରହପତ୍ର ଆସିଥିଲା । ପରେ ଦୁଇଟି ପକ୍ଷ ପ୍ରଯୁକ୍ତି ଏବଂ ବିତ୍ତୀୟ ବିଡ୍ ଦାଖଲ କରିଥିଲେ । ଆର୍ଥିକବର୍ଷ ୨୦୨୫-୨୬ରେ ମିଳିଥିବା ପ୍ରାରମ୍ଭିକ ବିଡ୍ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ଦର ୯୪.୪୨ ଟଙ୍କା ପ୍ରତି ସେୟାରଠାରୁ କମ୍ ଥିଲା । ତେଣୁ ସେମାନଙ୍କୁ ମଞ୍ଜୁରୀ ଦିଆଯାଇ ନ ଥିଲା । ଏହାପରେ ଆର୍ଥିକବର୍ଷ ୨୦୨୬-୨୭ରେ ଯୋଗ୍ୟ ବିଡରମାନଙ୍କଠାରୁ ନୂଆ ସିଲ୍ବନ୍ଦ ବିଡ୍ ମଗାଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button