ଦେଶ ବିଦେଶ

Free Bus: ମାଗଣା ବସ୍‌ ଯାତ୍ରା କରୁଛନ୍ତି ୨୫ ହଜାରରୁ ଅଧିକ ମହିଳା, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’

ଉତ୍ତରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଯୋଜନା ଆରମ୍ଭ ହେବାର ଦେଢ଼ ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ମହିଳା ଏହାର ଲାଭ ଉଠାଇଛନ୍ତି।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ରାଜ୍ୟ ପରିବହନ ନିଗମର ବସ୍‌ଗୁଡ଼ିକରେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ରେ ପ୍ରତିଦିନ ୨୫ ହଜାରରୁ ଅଧିକ ମହିଳା ଯାତ୍ରା କରୁଛନ୍ତି। ଏହି ଯୋଜନା ଆରମ୍ଭ ହେବାର ଦେଢ଼ ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ମହିଳା ଏହାର ଲାଭ ଉଠାଇଛନ୍ତି।

ରିପୋର୍ଟ ଅନୁଯାୟୀ, ରକ୍ଷାବନ୍ଧନ ପୂର୍ବରୁ ଏହି ଯୋଜନାରେ ପ୍ରତିଦିନ ପ୍ରାୟ ୧୭ରୁ ୧୮ ହଜାର ମହିଳା ଯାତ୍ରା କରିବେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୨୫ ହଜାର ଅତିକ୍ରମ କରିଛି। ଏହା ରାଜ୍ୟର ସାଧାରଣ ପରିବହନ ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧିକୁ ଦର୍ଶାଉଛି।

ଆର୍ଥିକ ଆଶ୍ୱସ୍ତି

ଏହି ଯୋଜନା ଅନୁଯାୟୀ, ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଉତ୍ତରପ୍ରଦେଶର ମହିଳା ବାସିନ୍ଦା ରାଜ୍ୟ ପରିବହନ ନିଗମର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଏଥିପାଇଁ ଯାତ୍ରୀଙ୍କୁ ନିଜର ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଏହା ଆଧାରରେ ଶୂନ୍ୟ ମୂଲ୍ୟର ଟିକେଟ୍‌ ଜାରି କରାଯାଉଛି। ଯୋଗ୍ୟ ମହିଳା ଯାତ୍ରୀଙ୍କ ଚିହ୍ନଟ ଓ ଯାତ୍ରା ବ୍ୟବସ୍ଥାକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ସ୍ମାର୍ଟ କାର୍ଡ ଜାରି କରିବାର ମଧ୍ୟ ଯୋଜନା ରହିଛି।

ଅନ୍ୟପକ୍ଷରେ, ରକ୍ଷାବନ୍ଧନ ଅବସରରେ ମଧ୍ୟ ଉତ୍ତରପ୍ରଦେଶ ସରକାର ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧା ଯୋଗାଇଥିଲେ। ଅଗଷ୍ଟ ୨୭ରୁ ୨୯ ତାରିଖ ମଧ୍ୟରେ ଏହି ସୁବିଧାର ଲାଭ ଲକ୍ଷ ଲକ୍ଷ ମହିଳା ଓ ସେମାନଙ୍କ ସହଯାତ୍ରୀ ନେଇଥିଲେ। ଏହାସହ ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ନିୟମିତ ମାଗଣା ଯାତ୍ରା ସୁବିଧା ଜାରି ରହିଛି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବୟସ୍କ ମହିଳାଙ୍କ ଯାତାୟାତ ଖର୍ଚ୍ଚ କମାଇବା ସହ ସେମାନଙ୍କୁ ସାର୍ବଜନୀନ ପରିବହନ ସେବାରେ ଅଧିକ ସୁବିଧା ଯୋଗାଇବା। ବିଶେଷକରି ଚିକିତ୍ସା, ଦୈନନ୍ଦିନ କାର୍ଯ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ନିୟମିତ ଯାତ୍ରା କରୁଥିବା ବୟସ୍କ ମହିଳାଙ୍କୁ ଏହା ଆର୍ଥିକ ଆଶ୍ୱସ୍ତି ଦେଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button