ୟୁରୋପର ଦୋମୁହାଁ ନୀତି;ରୁଷରୁ ୩୦ ଲକ୍ଷ କୋଟିର ତୈଳ, ଗ୍ୟାସ କିଣିଲାଣି

ମସ୍କୋ: ୟୁକ୍ରେନ ସହ ଯୁଦ୍ଧକୁ ନେଇ ଭାରତକୁ ଦୋଷ ଦେଉଥିବା ୟୁରୋପୀୟ ରାଷ୍ଟ୍ରଙ୍କ ଦୋମୁହାଁ ନୀତି ପଦାରେ ପଡ଼ି ଯାଇଛି। ଭାରତର ତୈଳ ବିଶୋଧନାଗାର ଉପରେ କଟକଣା ଲଗାଇଥିବା ୟୁରୋପୀୟ ସଂଘ (ଇୟୁ) ନିଜ ସ୍ଥିତିକୁ ନେଇ ଚୁପ ରହିଛି। ରୁଷଠାରୁ ତୈଳ କିଣିବା ନେଇ ଭାରତ ଉପରେ ଚାପ ପକାଉଥିବା ୟୁରୋପ ନିଜେ ମସ୍କୋଠାରୁ ବିପୁଳ ପରିମାଣରେ ତୈଳ ଓ ଗ୍ୟାସ୍ କିଣୁଛି। ଯୁଦ୍ଧ ବଢ଼ିବା ସହିତ ଏହି କ୍ରୟ ମଧ୍ୟ ବଢ଼ି ଚାଲିଛି। ୨୦୨୨ ପରଠାରୁ ଏପର୍ଯ୍ୟନ୍ତ ୟୁରୋପୀୟ ଦେଶଗୁଡ଼ିକ ରୁଷରୁ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ଇନ୍ଧନ କିଣି ସାରିଲେଣି। ସୂଚନାଯୋଗ୍ୟ ଯେ ଯୁଦ୍ଧକୁ ନେଇ ୟୁରୋପୀୟ ସଂଘ ୨୦୨୫ ଜୁଲାଇରେ ଗୁଜରାଟ ସ୍ଥିତ ନାୟରା ଏନର୍ଜିର ତୈଳ ବିଶୋଧନାଗାର ଉପରେ କଟକଣା ଲଗାଇଥିଲା। ଏହି କମ୍ପାନୀରେ ରୁଷିଆର ତୈଳ କମ୍ପାନୀ ରୋସନେଫ୍ଟର ଅଂଶଧନ ରହିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ନଅ ମାସରେ ରୁଷଠାରୁ ୟୁରୋପ ପ୍ରାୟ ୨.୦୩ ଲକ୍ଷ କୋଟି ଟଙ୍କାର ଇନ୍ଧନ କିଣିଛି। ତେବେ ରୁଷ ପକ୍ଷରୁ କୁହାଯାଇଛି ଯେ ଯେଉଁ ମାର୍ଗଗୁଡ଼ିକ ଦେଇ ଶକ୍ତି ସମ୍ପଦ କିଣିବାକୁ ଅନୁମତି ମିଳିଛି, ସେହି ମାଧ୍ୟମରେ ୟୁରୋପକୁ ତୈଳ ଓ ଗ୍ୟାସ୍ ଯୋଗାଣ ଜାରି ରହିଛି। ହଙ୍ଗେରୀ ଓ ସ୍ଲୋଭାକିଆକୁ ପାଇପ୍ଲାଇନ୍ ମାଧ୍ୟମରେ ରୁଷଠାରୁ ତେଲ କିଣିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି। ପୂର୍ବରୁ ରୁଷ ସହ ଅନେକ ୟୁରୋପୀୟ କମ୍ପାନୀର ଚୁକ୍ତି ରହିଛି। ଆମେରିକା ମଧ୍ୟ କିଛି ପରିସ୍ଥିତିରେ ରୁଷ ଇନ୍ଧନ କିଣିବା ପାଇଁ ଅସ୍ଥାୟୀ ଆଶ୍ବସ୍ତି ଦେଇଛି। ଅନ୍ୟପକ୍ଷରେ, ରୁଷଠାରୁ ତେଲ କିଣୁଥିବା ନେଇ ଆମେରିକୀୟ ପ୍ରଶାସନ ଭାରତ ଉପରେ ଅତିରିକ୍ତ ଆମଦାନୀ ଶୁଳ୍କ ଲଗାଇସାରିଛି। ମାତ୍ର ୟୁରୋପୀୟ ଦେଶଗୁଡ଼ିକୁ ନେଇ ଆମେରିକା ଚୁପ ହୋଇ ରହିଛି। ଏପରି ସ୍ଥିତିରେ ଭାରତ ଉପରେ ଚାପ ପକାଇବା ଓ ୟୁରୋପୀୟ ଦେଶଗୁଡ଼ିକୁ ଛାଡ଼ କରିବା କ୍ଷେତ୍ରରେ ଆମେରିକା କାହିଁକି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ପ୍ରଶ୍ନ ଉଠୁଛି।
ସୌଜନ୍ୟ ସମାଜ




