ରାଜ୍ୟ

ଅନ୍ତ୍ୟୋଦୟରେ ଆଉ ୨.୯୧ ଲକ୍ଷ ବାସଗୃହ

ଭୁବନେଶ୍ୱର : ‘ସମସ୍ତଙ୍କ ପାଇଁ ଘର’ ଲକ୍ଷ୍ୟ ହାସଲ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ଗରିବ ଓ ଅସହାୟ ଲୋକଙ୍କୁ ଘର ଯୋଗାଇଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଅତିରିକ୍ତ ୨,୯୧,୬୬୬ଟି ନୂଆ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାର ସମୁଦାୟ ପ୍ରକଳ୍ପ ବ୍ୟୟବରାଦ ୭,୫୫୦ କୋଟି ଟଙ୍କା ଅପରିବର୍ତ୍ତିତ ରହିଥିବା ବେଳେ ଘର ମରାମତି (ରିପେୟାରିଂ କମ୍ପୋନେଣ୍ଟ) ପାଇଁ ରଖାଯାଇଥିବା ୩,୫୦୦ କୋଟି ଟଙ୍କାକୁ ବର୍ତ୍ତମାନ କେବଳ ନୂଆ ଘର ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ। ଅଧିକ ସଂଖ୍ୟକ ଘର ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଯୋଜନାର କାର୍ଯ୍ୟକାଳକୁ ଆହୁରି ୨ ବର୍ଷ ବୃଦ୍ଧି କରାଯାଇଛି। ଫଳରେ ଏହି ଯୋଜନା ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
ହିତାଧିକାରୀମାନେ ଯେପରି ଗୁଣାତ୍ମକ ମାନର ଘର ନିର୍ମାଣ ଶୀଘ୍ର ଶେଷ କରିବେ ଏବଂ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ, ସେଥିପାଇଁ ସରକାର ସମୟସୀମା କୋହଳ କରିଛନ୍ତି। ପ୍ରୋତ୍ସାହନ ରାଶିର ପରିମାଣକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିଛନ୍ତି। ପୂର୍ବ ନିୟମ ଅନୁଯାୟୀ, ୪ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୨୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା। ଏବେ ହିତାଧିକାରୀମାନେ ୫ମାସ ମଧ୍ୟରେ ନିର୍ମାଣ ସାରିଲେ ବର୍ଦ୍ଧିତ ୩୫,୦୦୦ ଟଙ୍କା ପାଇବେ। ସେହିପରି, ୬ ମାସରେ ଘର ଶେଷ କଲେ ମିଳୁଥିବା ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯାଇ ୨୦,୦୦୦ ଟଙ୍କା କରାଯାଇଛି ଏବଂ ଏଥିପାଇଁ ଅବଧିକୁ ୭ମାସକୁ ବୃଦ୍ଧି କରାଯାଇଛି। ସମୟସୀମା କୋହଳ ହେବା ଦ୍ୱାରା ଶ୍ରମିକ ଓ ନିର୍ମାଣ ସାମଗ୍ରୀ ଅଭାବ ଭଳି ବାସ୍ତବ ସମସ୍ୟାର ସମ୍ମୁଖୀନ ହେଉଥିବା ହିତାଧିକାରୀମାନେ ଏହି ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହେବେ ନାହିଁ।
ଏହି ସମ୍ପ୍ରସାରିତ ଯୋଜନାରେ ପୂର୍ବରୁ ୪୮,୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀ ଏବଂ ଏ ପର୍ଯ୍ୟନ୍ତ କୌଣସି ଆବାସ ଯୋଜନାରେ ସାମିଲ ହୋଇ ନଥିବା ଯୋଗ୍ୟ ବ୍ୟକ୍ତିମାନେ ଲାଭବାନ ହେବେ। ନୂତନ ଏବଂ ପ୍ରକୃତ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ତୁରନ୍ତ ଏକ ସର୍ଭେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ କେହି ବି ବାସହୀନ ରହିବେ ନାହିଁ ଏବଂ ସରକାରଙ୍କ ଲକ୍ଷ୍ୟ ଖୁବ୍‌ଶୀଘ୍ର ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଯୋଜନା ଅଧୀନରେ ୫ଲକ୍ଷ ପରିବାରଙ୍କୁ ଘର ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଥିଲା।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button