ରାଜ୍ୟ

Mahanadi Water Disputes : ମହାନଦୀ ଜଳ ବିବାଦ, ଜଳ ଆବଣ୍ଟନ ଚୂଡାନ୍ତ ଫର୍ମୁଲା ସ୍ଥିର କରିବ ସିଡବ୍ଲୁସି, ୨୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୬/୧୦: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନ ଲାଗି ଏକ ଫର୍ମୁଲା ଶୀଘ୍ର ସ୍ଥିର କରିବା ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)କୁ ଆଉ କିଛି ସମୟ ପ୍ରଦାନ କରିଛନ୍ତି । ଏହାପରେ ଶୁଣାଣି ଆସନ୍ତା ଅକ୍ଟୋବର ୨୬ରେ ହେବ ବୋଲି ସ୍ଥିର କରାଯାଇଛି ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏନ୍ ତ୍ରିବେଦୀଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ ଶୁଣାଣି ସମୟରେ ଓଡିଶା ଓ ଛତିଶଗଡ ଏଜିଙ୍କ ପକ୍ଷରୁ କଥାବାର୍ତ୍ତାର ଅଗ୍ରଗତି ବିଷୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା । ଗତ ଅକ୍ଟୋବର ୧ରେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଟ୍ରିବ୍ୟୁନାଲ ଅବଗତ ହୋଇଥିଲେ ।

ତେବେ ସିଡବ୍ଲୁସି ଜଳ ଆବଣ୍ଟନକୁ ନେଇ ଚୂଡାନ୍ତ ରିପୋର୍ଟ ସ୍ଥିର କରିପାରିନଥିବାରୁ ଏଥିଲାଗି ଆଉ କିଛି ସମୟ ଦେବାକୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ନିବେଦନ କରିଥିଲେ । ଉଭୟ ରାଜ୍ୟଙ୍କ ମଧ୍ୟରେ ଜଳ ଆବଣ୍ଟନର ଏକ ଚୂଡାନ୍ତ ଫର୍ମୁଲା ପାଇଁ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ଖୁବ୍ ଶୀଘ୍ର ହେବ ବୋଲି ଟ୍ରିବ୍ୟୁନାଲଙ୍କୁ କୁହାଯାଇଥିଲା । ଓଡିଶା ଏଜି ପିତାମ୍ବର ଆଚାର୍ଯ୍ୟ ସିଡବ୍ଲୁସି ସହ ଚାଲିଥିବା କଥାବର୍ତ୍ତା ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କୁ ସୂଚନା ଦେଇଥିଲେ ।

ଛତିଶଗଡ ଏଜି ମଧ୍ୟ ଆଶାପ୍ରକାଶ କରିଥିଲେ ଯେ, ଖୁବ୍‌ଶୀଘ୍ର ଏହି ଆବଣ୍ଟନ ନେଇ ଚୂଡାନ୍ତ ଫର୍ମୁଲା ସ୍ଥିର କରାଯିବ । ଶୁଣାଣି ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମଙ୍କୁ କହିଥିଲେ ଯେ, ଏପର୍ଯ୍ୟନ୍ତ ହୋଇଥିବା ଆଲୋଚନା ସନ୍ତୋଷଜନକ । ଦୁଇ ମୁଖ୍ୟମନ୍ତ୍ରୀଙ୍କର ସକାରାତ୍ମକ ଚିନ୍ତାଧାରା ଏବଂ ଆଭିମୁଖ୍ୟ ଯୋଗୁଁ ସମାଧାନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ସେ ଆଶାପ୍ରକାଶ କରିଥିଲେ ଯେ, ଖୁବ୍‌ଶୀଘ୍ର ଏହାର ସୁଫଳ ମିଳିବ ଏବଂ ଦୁଇ ରାଜ୍ୟ ଏଥିରୁ ଉପକୃତ ହେବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button