Kiren Rijiju: ‘ଦିମାଗୀ ନକ୍ସଲ’ ଓ ଦେଶଭକ୍ତ ଭାରତୀୟଙ୍କ ମଧ୍ୟରେ ଲଢ଼େଇ: ରିଜିଜୁ
‘ଦିମାଗୀ ନକ୍ସଲ’ ଓ ଦେଶଭକ୍ତ ଭାରତୀୟଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଭାରତୀୟ ସମ୍ବିଧାନରେ ବିଶ୍ୱାସ କରୁଥିବା ଲୋକଙ୍କ ଓ ଅରାଜକତାବାଦୀଙ୍କ ମଧ୍ୟରେ ଏବେ ଲଢ଼େଇର ସୀମାରେଖା ଟଣା ହୋଇସାରିଛି ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ର ସଂସଦୀୟ...

ନୂଆଦିଲ୍ଲୀ: ‘ଦିମାଗୀ ନକ୍ସଲ’ ଓ ଦେଶଭକ୍ତ ଭାରତୀୟଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଭାରତୀୟ ସମ୍ବିଧାନରେ ବିଶ୍ୱାସ କରୁଥିବା ଲୋକଙ୍କ ଓ ଅରାଜକତାବାଦୀଙ୍କ ମଧ୍ୟରେ ଏବେ ଲଢ଼େଇର ସୀମାରେଖା ଟଣା ହୋଇସାରିଛି ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ସେ ଦେଶବାସୀଙ୍କୁ ଦେଶଦ୍ରୋହୀଙ୍କୁ ମନେ ରଖିବାକୁ ଆହ୍ୱାନ ଦେଇଛନ୍ତି। ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ ‘ଶାସନ ପରିବର୍ତ୍ତନ’ ସମ୍ପର୍କରେ ମନ୍ତବ୍ୟ ଦେବାର ଦିନକ ପରେ ରିଜିଜୁ ଏହି ପ୍ରତିକ୍ରିୟା ରଖିଛନ୍ତି।
ସୋସିଆଲ୍ ମିଡିଆ ମଞ୍ଚ ଏକ୍ସରେ ରିଜିଜୁ ଲେଖିଛନ୍ତି, ଲଢ଼େଇର ସୀମାରେଖା ଟଣା ହୋଇସାରିଛି। ଗୋଟିଏ ପଟେ ଦିମାଗୀ ନକ୍ସଲ, ଅନ୍ୟପଟେ ଦେଶଭକ୍ତ ଭାରତୀୟ। ଗୋଟିଏ ପଟେ ଭାରତୀୟ ସମ୍ବିଧାନରେ ବିଶ୍ୱାସ କରୁଥିବା ଲୋକ, ଅନ୍ୟପଟେ ଅରାଜକତାବାଦୀ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ ଦେଶଭକ୍ତ ଭାରତୀୟଙ୍କୁ ଶତ୍ରୁଙ୍କୁ ଥରେ, ବନ୍ଧୁଙ୍କୁ ଦୁଇଥର କ୍ଷମା କରିବାକୁ, କିନ୍ତୁ ଦେଶଦ୍ରୋହୀଙ୍କୁ କେବେ କ୍ଷମା ନ କରିବାକୁ କହିଛନ୍ତି। ଭୂଷଣଙ୍କ ମନ୍ତବ୍ୟକୁ ନେଇ ରିଜିଜୁ ଦୁଇଟି ଭିଡିଓ କ୍ଲିପ୍ ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିସହ କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳକୁ ଭାରତଠାରୁ ଅଲଗା କରି ଦେଶକୁ ଭାଙ୍ଗିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି। ଭୂଷଣଙ୍କ ସହ ଜଣେ କଂଗ୍ରେସ ନେତା ଓ ଅନ୍ୟମାନେ ଥିବା ଏକ ସାମ୍ପ୍ରତିକ ଫଟୋ ମଧ୍ୟ ବିଜେପିର ଏହି ବରିଷ୍ଠ ନେତା ପୋଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




