Protests safety: ଆନ୍ଦୋଳନରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କଲା ପିସିଆଇ
ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗୁରୁବାର ଆନ୍ଦୋଳନର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି। ଏଥିରେ ବୃତ୍ତିଗତ ଆଚରଣ, ଭିଡ଼ରେ ସୁରକ୍ଷା, ନୈତିକତା ଆଧାରିତ ସମ୍ବାଦ ପରିବେଷଣ...

ନୂଆଦିଲ୍ଲୀ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ (ପିସିଆଇ) ଗୁରୁବାର ଆନ୍ଦୋଳନର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି। ଏଥିରେ ବୃତ୍ତିଗତ ଆଚରଣ, ଭିଡ଼ରେ ସୁରକ୍ଷା, ନୈତିକତା ଆଧାରିତ ସମ୍ବାଦ ପରିବେଷଣ ଏବଂ ନ୍ୟୁଜ୍ରୁମ୍ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବାବେଳେ ପିସିଆଇ ଏହି ପଦକ୍ଷେପ ନେଇଛି।
ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଦାୟିତ୍ୱପୂର୍ଣ୍ଣ ଖବର ପରିବେଷଣ ଏବଂ ପ୍ରତିବାଦ କାର୍ଯ୍ୟକ୍ରମଗୁଡ଼ିକର ସୁସଂଗଠିତ ଓ ପ୍ରଭାବଶାଳୀ ଗଣମାଧ୍ୟମ କଭରେଜ୍କୁ ସହଜ କରିବା ଏହି ନିର୍ଦ୍ଦେଶାବଳିର ଉଦ୍ଦେଶ୍ୟ। ଏଥିରେ ସାମ୍ବାଦିକମାନଙ୍କୁ ନିଜ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଜାରି ବୈଧ ପରିଚୟପତ୍ର କିମ୍ବା ପ୍ରଯୁଜ୍ୟ କ୍ଷେତ୍ରରେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଓ ଡାଇରେକ୍ଟୋରେଟ୍ ଅଫ୍ ଇନଫର୍ମେସନ୍ ଆଣ୍ଡ୍ ପବ୍ଲିସିଟି (ଡିଆଇପି) ଦ୍ୱାରା ପ୍ରଦତ୍ତ ସ୍ୱୀକୃତିପତ୍ର ସାଙ୍ଗରେ ରଖିବାକୁ କୁହାଯାଇଛି। ଖବର ସଂଗ୍ରହ ସମୟରେ ପ୍ରେସ୍ ପରିଚୟପତ୍ର ଦୃଶ୍ୟମାନ ହେଉଥିବା ସ୍ଥାନରେ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଆନ୍ଦୋଳନ ସମୟରେ ଖବର ସଂଗ୍ରହ କରୁଥିବା ଅନେକ ସାମ୍ବାଦିକଙ୍କୁ ରାସ୍ତାରେ ଘୋଷାଡ଼ି ନିଆଯିବା ସହ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଗତ ରବିବାର ଆନ୍ଦୋଳନ ସମୟରେ ୧୨ ଜଣ ସାମ୍ବାଦିକ ଅଟକ ରହିଥିଲେ। କେବଳ ପ୍ରିଣ୍ଟ୍ ମିଡିଆ ଉପରେ କ୍ଷେତ୍ରାଧିକାର ଥିବା ପିସିଆଇ ସାମ୍ବାଦିକମାନଙ୍କୁ ବୃତ୍ତିଗତ ନିରପେକ୍ଷତା ବଜାୟ ରଖିବା ସହ ଆନ୍ଦୋଳନରେ ଭାଗ ନ ନେବା ଏବଂ କୌଣସି ପକ୍ଷ ନ ନେବାକୁ ପରାମର୍ଶ ଦେଇଛି। ସେହିପରି ସାମ୍ବାଦିକମାନେ ସମ୍ମାନର ସହ ଆଚରଣ କରିବା ସହ ନିଜର ତତ୍କାଳ ସୁରକ୍ଷା ପାଇଁ ଜାରି ଆଇନଗତ ଓ ପୁଲିସ ନିର୍ଦ୍ଦେଶ ପାଳନ କରିବା ଉଚିତ। ବିବାଦଠାରୁ ଦୂରେଇ ରହିବା ସହ ଭିଡ଼ ମଧ୍ୟରେ ସତର୍କତା ଅବଲମ୍ବନ କରି ସମ୍ଭାବ୍ୟ ବିପଦର ଆକଳନ କରିବାକୁ ମଧ୍ୟ କୁହାଯାଇଛି।
ସୌଜନ୍ୟ ସମ୍ବାଦ




