Weather Forecast: ଅକ୍ଟୋବର ଶେଷବେଳକୁ ଲଘୁଚାପ, ଦଶହରାରେ ଭଲ ପାଗ, କୁମାର ପୂର୍ଣ୍ଣିମାରେ ଘାଣ୍ଟିବ ବର୍ଷା

ଭୁବନେଶ୍ୱର,୧୭/୧୦: ବିଶେଷ ବର୍ଷା ସମ୍ଭାବନା ନାହିଁ । ପ୍ରତିଦିନ ଅଳ୍ପ କିଛି ଜାଗାରେ ହାଲୁକା କିମ୍ବା ଅସରାଏ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦଶହରାରେ ପାଗ ଭଲ ରହିପାରେ । ବିଭିନ୍ନ ମଡେଲ୍ ପୂର୍ବାନୁମାନ କରିଛନ୍ତି, ଚଳିତ ଅକ୍ଟୋବର ମାସ ଶେଷବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହାର ପ୍ରଭାବ, ଗତିପଥ ଓ ତୀବ୍ରତା ନେଇ ଏବେଠାରୁ କିଛି ଆକଳନ କରାଯାଇନି ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଯାଇଛି । ତାମିଲନାଡୁର ଦକ୍ଷିଣ ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟଠାରୁ ଓଡ଼ିଶା ଉପକୂଳ ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ନିମ୍ନଚାପ ରେଖା ଲମ୍ବିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବା ଯୋଗୁ ଆସନ୍ତା ୧୮ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ମୁଖ୍ୟତଃ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କାଁ ଭାଁ ଓ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହୋଇପାରେ । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତା ୧୯ରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ।
ସୌଜନ୍ୟ ପ୍ରମେୟ




