Dussehra 2026: ଦଶହରା ପୂର୍ବରୁ ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ରାସ୍ତା ଅବରୋଧ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମନା, ନିୟମ ଅନୁସାରେ ଲାଉଡ୍ସ୍ପିକର ବାଜିବ

କଟକ, ୧୭/୧୦: ଦଶହରା ପୂର୍ବରୁ ପୂଜା, ପାର୍ବଣକୁ ନେଇ ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ପୂଜା, ପାର୍ବଣ ଏପରି କରାଯିବା ଆବଶ୍ୟକ ଯାହାଦ୍ୱାରା କାହାରି ସ୍ୱାଧୀନତା କ୍ଷୁଣ୍ଣ ହେଉ ନଥିବ । ପୂଜା, ପାର୍ବଣକୁ ନେଇ ଯେଉଁ ନିୟମ ରହିଛି ତାହା ମଧ୍ୟରେ ସବୁ କରାଯାଉଥିବ । କୌଣସି ପୂଜା ମଣ୍ଡପ ସାମ୍ନାରେ ଯଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବ ତାହେଲେ ସର୍ବସାଧାରଣଙ୍କ ପାଇଁ ଥିବା ରାସ୍ତାକୁ ଅବରୋଧ କରାଯାଇ ପାରିବ ନାହିଁ । ପୂଜା ମଣ୍ଡପ ନିକଟରେ ଯଦି ଲାଉଡ୍ସ୍ପିକର ବାଜିବ ତାହା ମଧ୍ୟ ଧାର୍ଯ୍ୟ ନିୟମଠାରୁ ଅଧିକ ଡେସିବିଲ୍ରେ ବାଜିପାରିବ ନାହିଁ । ପୂଜା ପାଇଁ ଯେଉଁ ତୋରଣ ନିର୍ମାଣ କରାଯିବ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ ଅଧିକ ନିର୍ମାଣ କରାଯିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ରାଜ୍ୟ ସରକାର ଏହି ଆଦେଶକୁ ସମ୍ପୂର୍ଣ୍ଣ ରାଜ୍ୟ ପାଇଁ କାର୍ଯ୍ୟକାରୀ କରିବା ଲାଗି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଆବେଦନକାରୀ ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ରାଜଧାନୀ ଭୁବନେଶ୍ୱର ବଡ଼ଗଡ଼ର ସ୍ଥାୟୀ ବାସିନ୍ଦା ଅଟନ୍ତି । ତାଙ୍କ ଘରଠୁ ମାତ୍ର ୫୦ ମିଟର ଦୂରରେ ଅନୁଷ୍ଠିତ ଗଣେଶ ମହୋତ୍ସବ ଏବଂ ଦଶହରା ମହୋତ୍ସବ ସମୟରେ ରାସ୍ତାକୁ ଅବରୋଧ କରି ନିର୍ମାଣ କରାଯାଉଥିବା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଏହାଦ୍ୱାରା ବଡ଼ଗଡ଼ ଗ୍ରାମକୁ ଯାଇଥିବା ରାସ୍ତାଟି ସନ୍ଧ୍ୟା ୭ଟାରୁ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅବରୋଧ ହୋଇଥାଏ । ଏହି ରାସ୍ତାରେ ସାଧାରଣ ଲୋକଙ୍କୁ ଯା’ଆସରେ ବଡ଼ ସମସ୍ୟା ଦେଖାଦେଇଥାଏ । ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରିକାଳୀନ ସେବା ମଧ୍ୟ ଯା’ଆସରେ ବାଧାପ୍ରାପ୍ତ ହୋଇଥାଏ । ତେଣୁ ଏହି ଅବରୋଧକୁ ହଟାଯିବା ସହ ନିୟମ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଶ୍ରୀ ଗଜେନ୍ଦ୍ର ପ୍ରାର୍ଥନା କରିଥିଲେ ।
ସୌଜନ୍ୟ ପ୍ରମେୟ




