Maharashtra Firecracker Ban:ମହାରାଷ୍ଟ୍ରରେ ବର୍ଷ ସାରା ବାଣ ଫୁଟାଇବା ଉପରେ ରୋକ୍, ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,୧୭\୧୦: ମହାରାଷ୍ଟ୍ରରେ ବାଣ ଦ୍ବାରା ହେଉଥିବା ପ୍ରଦୂଷଣ ଉପରେ ବମ୍ବେ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟର ସର୍ବକାଳୀନ ସଡ଼କ,ଗଳିକନ୍ଦି ଏବଂ ଫୁଟଫାଥରେ ବାଣ ଫୁଟାଇବା ଉପରେ ଲଗାଯାଇଥିବା ନିଷେଧଦେଶ ବର୍ଷ ସାରା ଲାଗୁ ରହିବ ବୋଲି ହାଇକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି । ଏହି ସମୟରେ ଜଷ୍ଟିସ ଗିରୀଶ ଏସ୍ କୁଲକର୍ଣ୍ଣି ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ଖଣ୍ଡପୀଠ ମୁମ୍ବାଇ,ପୁନେ,ଥାନେ,ନଭି ମୁମ୍ବାଇ,କଲ୍ୟାଣ-ଡୋମ୍ବିଭିଲି ପ୍ରଭୃତି ସ୍ଥାନରେ ବାୟୁ ପ୍ରଦୂଷଣର ସ୍ତର ନେଇ ଉଦବଗ ପ୍ରକାଶ କରିଥିଲେ ।
ଖଣ୍ଡପୀଠ କହିଥିଲେଯେ, ନିକଟରେ ମୁମ୍ବାଇର କିଛି ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୪୨୫ ଛୁଇଁଯାଇଥିଲା । ଦୀପାବଳି ପୂର୍ବରୁ ଏମିତି ସ୍ଥିତି ନିଶ୍ଚିତ ଭାବେ ଚିନ୍ତାଜନକ । ଏଭଳିକ୍ଷେତ୍ରରେ ବାଣ ଫୁଟାଇବା ଦ୍ୱାରା ବାୟୁରେ ବିଷାକ୍ତ ପଦାର୍ଥର ମାତ୍ରା ବୃଦ୍ଧି ପାଇବ । ଏହାଦ୍ୱାରା ଲୋକଙ୍କ ପାଇଁ ନିର୍ମଳ ବାୟୁରେ ଶ୍ୱାସକ୍ରିୟା ଏବଂ ଦୈନନ୍ଦିନର କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହୋଇପଡ଼ିବ । ତେଣୁ ଗଣେଶୋତ୍ସବ ସମୟରେ ସାର୍ବଜନୀନ ରାସ୍ତାରେ ବାଣ ଫୁଟାଇବା ଉପରେ ଲଗାଯାଇଥିବା ନିଷେଧାଦେଶ କେବଳ ଗୋଟିଏ ପର୍ବ ଯାଏ ସୀମିତ ରହିବ ନାହିଁ । ଏହା ନବରାତ୍ରୀ, ଦୀପାବଳି, କ୍ରିସମାସ୍ ଏବଂ ଅନ୍ୟ ପର୍ବପର୍ବାଣୀ ଉପରେ ବର୍ଷ ସାରା ଲାଗୁ ରହିବ । ଯେବେଯାଏ ନାଗରିକମାନେ ପରିସ୍ଥିତିକୁ ବୁଝିବେ ନାହିଁ, ସେବେଯାଏ ସ୍ଥିତି ବିଗିଡ଼ି ଚାଲିବ ।
ସୌଜନ୍ୟ ପ୍ରମେୟ


