ରାଜ୍ୟ

Garam-Padmapur road: ଗରାମ-ପଦ୍ମପୁର ରାସ୍ତା ମରଣଯନ୍ତା, ବଢ଼ୁଛି ଦୁର୍ଘଟଣା

ରାସ୍ତା ଅଛି, ହେଲେ ଯାତାୟାତ କରିହେଉନି। ପିଚୁ ଉଠି ବଡ଼ ବଡ଼ ଖାଲଖମା ଭର୍ତ୍ତି ହୋଇଗଲାଣି। ବର୍ଷା ହେଲେ ସେଥିରେ ପାଣି ଜମି ଯାଉଛି। ଖାଲ ଗଭୀରତା ଜାଣିବା କଷ୍ଟକର ହୋଇପଡ଼ୁଛି।

ଡେଙ୍ଗାପୋଲ: ରାସ୍ତା ଅଛି, ହେଲେ ଯାତାୟାତ କରିହେଉନି। ପିଚୁ ଉଠି ବଡ଼ ବଡ଼ ଖାଲଖମା ଭର୍ତ୍ତି ହୋଇଗଲାଣି। ବର୍ଷା ହେଲେ ସେଥିରେ ପାଣି ଜମି ଯାଉଛି। ଖାଲ ଗଭୀରତା ଜାଣିବା କଷ୍ଟକର ହୋଇପଡ଼ୁଛି। ଫଳରେ ଦୁର୍ଘଟଣା ଘଟୁଛି। ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ଗରାମଠାରୁ ପଦ୍ମପୁରକୁ ସଂଯୋଗ ପ୍ରମୁଖ ସଡ଼କର ଏଭଳି ଦୟନୀୟ ଅବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିୟମିତ ମରାମତି ହେଉ ନଥିବାରୁ ପ୍ରାୟ ଏକ କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲଟିଛି।

ଏହି ରାସ୍ତାରେ ଗରାମ ଓ ଗଉଡୁଣିପଡ଼ିଆ ଗ୍ରାମବାସୀ ନୁହଁନ୍ତି, ଆଖପାଖର ୧୦ରୁ ଅଧିକ ଗ୍ରାମର ଲୋକେ ଚଳପ୍ରଚଳ କରିଥାନ୍ତି। ରାସ୍ତାଟି ବାଲିକୁଦା ବ୍ଲକ୍‌ ସହ ନାଉଗାଁ ବ୍ଲକ୍‌କୁ ସଂଯୋଗ କରୁଛି। ଏହି ରାସ୍ତାଦେଇ ଚାଷୀମାନେ କ୍ଷେତ ଓ ବଜାର, ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଓ କଲେଜ୍‌ ତଥା ବ୍ୟବସାୟୀ ହାଟ ବଜାର ଯାଇଥାନ୍ତି। ସବୁଠୁ ବଡ଼ କଥା ହେଲା ଏହି ରାସ୍ତା ଦେଇ ‌ରୋଗୀଙ୍କୁ ଡାକ୍ତରଖାନା ନେବା କଷ୍ଟକର ହୋଇପଡ଼ିଛି। ବିଶେଷକରି ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକେ ଅଧିକ ବିପଦରେ ପଡ଼ୁଛନ୍ତି।

ଏହା ସହିତ ରାସ୍ତାର କିଛି ସ୍ଥାନରେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ବର୍ଷାପାଣି ଜମି ରହୁଛି। ଫଳରେ ରାସ୍ତାର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି। ଭାରୀ ଯାନବାହନ ଚଳାଚଳ ସମୟରେ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ  ଜରୁରୀକାଳୀନ ସେବା  ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଫଳ ଶୂନ। ମଝିରେ ମଝିରେ ରାସ୍ତାର କିଛି ଅଂଶ ମରାମତି କରାଯାଉଥିଲେ ବି ତାହା ଅଧିକ ଦିନ ରହୁନି। ବର୍ଷା ପରେ ଗୋଡ଼ି ଓ ମାଟି ଧୋଇଯାଇ ପୁଣି ରାସ୍ତା ପୂର୍ବ ଅବସ୍ଥାକୁ ଫେରିଯାଉଛି। ତୁରନ୍ତ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମୀଧର ମଲ୍ଲିକ, ଅନାଦି ଚରଣ ପରିଡ଼ା, ଦିଲ୍ଲୀପ ମହାର, ସରୋଜ ବାରିକ, ମନୋରଞ୍ଜନ ଜେନା, ସୁଧାଂଶୁ ସ୍ୱାଇଁ, କଣ୍ଟ ସେଠୀ, ରୁଦ୍ର ପରିଡ଼ା, ବିଶ୍ୱଜିତ ସେଠୀ, ପାର୍ଥସାରଥୀ ଦାସ, ସନ୍ତୋଷ ପରିଡ଼ା, ଈଶ୍ୱର ପରିଡ଼ା, ନରେନ୍ଦ୍ର ପରିଡ଼ା, ସାଗର ବାରିକ, ସୁରେଶ ବିଶ୍ୱାଳ, ନୀଳମଣି ସେନାପତି ଓ ବନବିହାରୀ ମୁଦୁଲି ପ୍ରମୁଖ ଦାବି କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button