ରାଜ୍ୟ

ଭାରତ-ଆମେରିକା ମଧ୍ୟରେ ହେବ ବଡ଼ ଡିଲ୍‌: ଟ୍ରମ୍ପ କହିଲେ, ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୧।୧୦: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା କହିଛନ୍ତି। ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରେ। ତେବେ ଚୁକ୍ତିର ଚୂଡ଼ାନ୍ତ ସର୍ତ୍ତାବଳୀ ଓ ଟାରିଫ ସମ୍ପର୍କିତ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଟ୍ରମ୍ପ କହିଛନ୍ତି, ଭାରତ ଚୁକ୍ତି କରିବାକୁ ଚାହୁଁଛି ଏବଂ ଉଭୟ ଦେଶ ଏହାକୁ ନେଇ ଆଗକୁ ବଢ଼ୁଛନ୍ତି। ଚୁକ୍ତି ଏବେ ବେଶ ନିକଟତର ହୋଇଛି। ଏହି ଚୁକ୍ତି ପୂର୍ବରୁ ଆଲୋଚନା ହେଉଥିବା ଚୁକ୍ତିଠାରୁ ଭିନ୍ନ ହୋଇପାରେ ବୋଲି ମଧ୍ୟ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ତେବେ ଏହାର ସ୍ବରୂପ କିମ୍ବା ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇନାହାନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ସାକ୍ଷାତକାରରେ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଗାମୀ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହୋଇପାରେ। ଆଲୋଚନାରେ ଏବେ କିଛି ବୈଷୟିକ ଦିଗ ଓ ସର୍ତ୍ତାବଳୀକୁ ନେଇ କାମ ବାକି ରହିଛି। ଚୁକ୍ତିରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ଓ ସର୍ତ୍ତକୁ ଉଭୟ ଦେଶ ସମାନ ଅର୍ଥରେ ବୁଝିବା ଏବଂ ସେଥିରେ ସହମତ ହେବା ଜରୁରୀ ବୋଲି ସେ କହିଛନ୍ତି।

ଭାରତକୁ ଅନ୍ୟ ଦେଶ ତୁଳନାରେ ଅଧିକ ଅନୁକୂଳ ଟାରିଫ ଦର ମିଳିବ କି ନାହିଁ, ଏନେଇ ପ୍ରଶ୍ନର ଉତ୍ତରରେ ରୁବିଓ କହିଛନ୍ତି, ଯେକୌଣସି ବାଣିଜ୍ୟ ଚୁକ୍ତିର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ବ୍ୟବସ୍ଥା ତୁଳନାରେ ଉନ୍ନତ ସର୍ତ୍ତ ହାସଲ କରିବା। ତେବେ ଭାରତ ପାଇଁ କେତେ ପ୍ରତିଶତ ଟାରିଫ ଧାର୍ଯ୍ୟ ହେବ କିମ୍ବା କେଉଁ କ୍ଷେତ୍ରକୁ ବିଶେଷ ରିହାତି ମିଳିବ, ସେ ସମ୍ପର୍କରେ ଆମେରିକା ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଘୋଷଣା କରାଯାଇନାହିଁ।

ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଆଲୋଚନାରେ ହୋଇଥିବା ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦର୍ଶାଉଛି ଯେ ଉଭୟ ଦେଶ ଦୀର୍ଘଦିନ ଧରି ଅଟକି ରହିଥିବା ବାଣିଜି୍ୟକ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button