ଜାତୀୟ

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ୩ ଘଣ୍ଟା ଅଟକ: ୫୦ ହଜାର ଟଙ୍କା କଟିଲା ଚାଲାଣ, ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୧।୧୦:ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପ୍ୟାରିସରୁ ଫେରୁଥିବା ସମୟରେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ପ୍ରାୟ ୩ ଘଣ୍ଟା ଅଟକାଇ ରଖାଯାଇଛି। ଏହା ସହ ତାଙ୍କ ଉପରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଆମ ଆଦମୀ ପାର୍ଟି (ଆପ) ଦଳର ନେତାମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆପ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛି।

ପଞ୍ଜାବ ଆପ୍‌ର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ପ୍ରଭାରୀ ବଲତେଜ ପନ୍ନୁଙ୍କ କହିବା ଅନୁଯାୟୀ, ରାଜ୍ୟର ଉତ୍ପାଦକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପ୍ୟାରିସ ଯାଇଥିଲେ। ସେଠାରେ ଏକ ବୃହତ୍‌ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ପଞ୍ଜାବର ରାଜମା ଓ ଛୋଲେ ଭଳି ଖାଦ୍ୟ ସାମଗ୍ରୀକୁ ଉପସ୍ଥାପନ କରିବା ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା। ବିଦେଶ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବାଧାର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ପ୍ୟାରିସରେ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ ତାଙ୍କୁ ଆବଶ୍ୟକ ସମ୍ମାନ ଓ ପ୍ରୋଟୋକଲ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନଓସି ନ ମିଳିବା ପ୍ରସଙ୍ଗକୁ ନେଇ ଆଇନଗତ ଲଢ଼େଇ ପରେ ଭଗବନ୍ତ ମାନ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦେଶ ଯାଇଥିଲେ। ହାଇକୋର୍ଟଙ୍କ ପକ୍ଷରୁ ପ୍ରୋଟୋକଲ ଅନୁଯାୟୀ ଗସ୍ତ କରିବାକୁ ଅନୁମତି ଥିବା ସତ୍ତ୍ୱେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଇଥିବା ପନ୍ନୁ ଅଭିଯୋଗ କରିଛନ୍ତି।

ପନ୍ନୁଙ୍କ କହିବା ଅନୁସାରେ, ଦିଲ୍ଲୀ ବିମାନବନ୍ଦରରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଲଗେଜ ଯାଞ୍ଚ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଅଟକାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ଯିବାକୁ ଅନୁମତି ମିଳିବ ବୋଲି କୁହାଯିବା ପରେ ଜଣେ ଅଧିକାରୀ ଆସି ଚାପ ଥିବା ଦର୍ଶାଇ ଚାଲାଣ କାଟିବାକୁ ପଡ଼ିବ ବୋଲି କହିଥିଲେ। ଏହା ପରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିବା ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଦିଲ୍ଲୀ ଆପ୍ର ମୁଖ୍ୟ ସୌରଭ ଭରଦ୍ୱାଜ ମଧ୍ୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ଭଗବନ୍ତ ମାନଙ୍କୁ ଭାରତୀୟ ବିମାନବନ୍ଦରରେ ପ୍ରାୟ ୩ ଘଣ୍ଟା ଅଟକାଇ ରଖାଯିବା ଘଟଣାକୁ ସେ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ବନ୍ଦ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button