Centre: କେନ୍ଦ୍ରର ଚେତାବନୀ: ଟିଭି ଚ୍ୟାନେଲ୍ ଏଆଇ ଅପବ୍ୟବହାର ରୋକନ୍ତୁ
ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାରେ କୁହାଯାଇଛି

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାରେ କୁହାଯାଇଛି। ଏହାର ଉଲ୍ଲଂଘନ କଲେ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ ଚେତାବନୀ ଦେଇଛି। ବିଭିନ୍ନ ଘରୋଇ ଚ୍ୟାନେଲ୍ ଦ୍ୱାରା ପ୍ରୋଗ୍ରାମ୍ କୋଡ୍ ଏବଂ କେବୁଲ ଟେଲିଭିଜନ ନେଟୱର୍କ ନିୟମ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।
ଚ୍ୟାନେଲ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଦାୟିତ୍ୱବାନ ଭାବେ ଖବର ପରିବେଷଣ କରିବାକୁ କୁହାଯିବା ସହ ଆତଙ୍କବାଦ ବିରୋଧୀ ଅଭିଯାନର ସିଧାପ୍ରସାରଣ (ଲାଇଭ୍ କଭରେଜ୍) ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶନ ଉପରେ କଟକଣା, ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ପରିଚୟ ସୁରକ୍ଷିତ ରଖିବା ଏବଂ ଭାରତର କେବଳ ପ୍ରାମାଣିକ ମାନଚିତ୍ର ବ୍ୟହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଇଡିସି ବୈଠକ ସମୟରେ ଏକାଧିକ ଚ୍ୟାନେଲ୍ରେ ସମାନ ବିଷୟବସ୍ତୁ ଓ ଦୃଶ୍ୟ ବାରମ୍ବାର ପ୍ରସାରିତ ହେଉଥିବା ଦେଖାଯାଇଥିଲା। କମିଟି ପକ୍ଷରୁ ଗଣମାଧ୍ୟମରେ କୌଣସି ପ୍ରକାରର ଅଶୋଭନୀୟ ବ୍ୟବହାର କିମ୍ବା ଅଶ୍ଳୀଳ ଭାଷାର ପ୍ରୟୋଗକୁ ସାଧାରଣ ବୋଲି ନଭାବିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




