Marco Rubio: ଭାରତର ଆନ୍ଦୋଳନକୁ ନେଇ ମାର୍କୋ ରୁବିଓଙ୍କ ବଡ଼ ବୟାନ, ଜାତିସଂଘ ବିଶେଷଜ୍ଞଙ୍କ ସମାଲୋଚନାକୁ ପ୍ରତ୍ୟାଖ୍ୟାନ
ମୁଖ୍ୟ ନିର୍ବାଚନ କମିସନର(ସିଇସି)ଙ୍କୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ଦମନ କରାଯାଉଥିବା ନେଇ ଜାତିସଂଘର କେତେକ ମାନବାଧିକାର ବିଶେଷଜ୍ଞ କରିଥିବା ସମାଲୋଚନାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୁଧବାର ପ୍ରତ୍ୟାଖ୍ୟାନ କରିଛନ୍ତି ।

ୱାସିଂଟନ୍: ମୁଖ୍ୟ ନିର୍ବାଚନ କମିସନର(ସିଇସି)ଙ୍କୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ଦମନ କରାଯାଉଥିବା ନେଇ ଜାତିସଂଘର କେତେକ ମାନବାଧିକାର ବିଶେଷଜ୍ଞ କରିଥିବା ସମାଲୋଚନାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୁଧବାର ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ଏହି ପ୍ରଦର୍ଶନକୁ ଭାରତର ଏକ ଆଭ୍ୟନ୍ତରୀଣ ରାଜନୈତିକ ବ୍ୟାପାର ବୋଲି ଅଭିହିତ କରିବା ସହ ଜାତିସଂଘ ବିଶେଷଜ୍ଞଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏଭଳି ବୟାନକୁ ସମାଲୋଚନା କରିଛନ୍ତି । ଭାରତର ଆଭ୍ୟନ୍ତରୀଣ ମାମଲାରେ ୱାସିଂଟନ କୌଣସି ହସ୍ତକ୍ଷେପ କରିବ ନାହିଁ କିମ୍ବା ମନ୍ତବ୍ୟ ଦେବ ନାହିଁ ଏବଂ ଏହା ଭାରତର ଜନସାଧାରଣଙ୍କ ନିଷ୍ପତ୍ତି ବୋଲି ରୁବିଓ ସ୍ପଷ୍ଟ କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ପ୍ରଦର୍ଶନ ଏବଂ ମତଭେଦ ପ୍ରକାଶ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ ମତ ଦେଇଛନ୍ତି ।
ଏହା ପୂର୍ବରୁ ମଙ୍ଗଳବାର ଦିନ ୨୦ରୁ ଅଧିକ ଜାତିସଂଘ ମାନବାଧିକାର ବିଶେଷଜ୍ଞ ଭାରତରେ ନିକଟରେ ହୋଇଥିବା ଆନ୍ଦୋଳନକୁ ନେଇ ଏକ ସ୍ୱାଧୀନ ତଦନ୍ତ ପାଇଁ ଦାବି କରିଥିଲେ । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ, ମନମୁଖୀ ଗିରଫଦାରୀ ଏବଂ ସଭାସମିତି ଉପରେ କଟକଣା ଲଗାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ବିରୋଧୀ ଦଳ ଏବଂ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଉଥିବା ବେଳେ ରୁବିଓ କହିଛନ୍ତି ଯେ ଭାରତ ଏକ ସୁଦୃଢ଼ ଗଣତନ୍ତ୍ର ଏବଂ ସେଠାରେ ନିର୍ବାଚନ ଅନୁଷ୍ଠିତ ହୁଏ, ତେଣୁ ସେ ଏହି ଘରୋଇ ରାଜନୀତି ଉପରେ କୌଣସି ମତ ରଖିବେ ନାହିଁ । ସେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଏବଂ ୟୁରୋପରେ ଦେଖାଯାଉଥିବା ହିଂସାତ୍ମକ ଦଙ୍ଗା ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ଯେ ଲୋକେ ନିଜର ମତ ପ୍ରକାଶ କରିବା ହେଉଛି ଗଣତାନ୍ତ୍ରିକ ଆଲୋଚନାର ଏକ ସଙ୍କେତ ।
ସୌଜନ୍ୟ ସମ୍ବାଦ




