Chemicals and petrochemicals: ରସାୟନ, ପେଟ୍ରୋରସାୟନ ନିବେଶକୁ ଆଖି
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାର କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ମୁମ୍ବାଇ ଗସ୍ତରେ ଯିବେ।

ଭୁବନେଶ୍ୱର: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାର କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ମୁମ୍ବାଇ ଗସ୍ତରେ ଯିବେ। ସେଠାରେ ସେ ‘ଇଣ୍ଡିଆ କେମ୍’ ୨୦୨୬ର ଉଦ୍ଘାଟନୀ ଅଧିବେଶନ ଓ ସିଇଓ ରାଉଣ୍ଡ ଟେବୁଲରେ ଯୋଗଦେବେ। କେନ୍ଦ୍ର ରାସାୟନିକ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ରାଉଣ୍ଡ ଟେବୁଲ୍ରେ ଅଧ୍ୟକ୍ଷତା କରିବେ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିଳ୍ପପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୩ ସନ୍ଧ୍ୟାରେ ସେ ଭୁବନେଶ୍ବର ଫେରିଆସିବେ।
ଏହି ଗସ୍ତ ସମୟରେ ସେ ରାସାୟନିକ ଓ ପେଟ୍ରୋରସାୟନ କ୍ଷେତ୍ରରେ ୨୦ରୁ ଅଧିକ ପ୍ରମୁଖ କମ୍ପାନି ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା, ପୂର୍ବରୁ ଥିବା ଶିଳ୍ପର ସମ୍ପ୍ରସାରଣ, ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ନୂଆ ପୁଞ୍ଜିନିବେଶର ସମ୍ଭାବନା ଉପରେ ଆଲୋଚନା ହେବ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଜମି ଓ ଅନ୍ୟାନ୍ୟ ସୁବିଧା, ସରକାରଙ୍କ ନୀତି ଏବଂ ନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କୁ ଅବଗତ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପକ୍ଷରୁ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ ସମ୍ପର୍କରେ ଏକ ଉପସ୍ଥାପନା କରାଯିବ। ଏଥିସହ ରାଜ୍ୟରେ ଏକ ବୃହତ୍ ଓ ସ୍ୱତନ୍ତ୍ର ରାସାୟନିକ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ପାର୍କ ପ୍ରତିଷ୍ଠା ହେଲେ ରାସାୟନିକ, ପେଟ୍ରୋରସାୟନ, ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପରେ ନୂଆ ନିବେଶ ଆସିବା ସହ ଅନ୍ୟାନ୍ୟ ସହଯୋଗୀ ଶିଳ୍ପର ବିକାଶ ହୋଇପାରିବ।
ସୌଜନ୍ୟ ସମ୍ବାଦ



