ରାଜ୍ୟ

Durga Immersion: ଆଜି ୬ଟି ସ୍ଥାନରେ ହେବ ମା’ଜଗତଜନନୀଙ୍କ ଭସାଣି ଉତ୍ସବ, ପାରମ୍ପରିକ ବାଜା ଓ ରୋଶଣିରେ ଦୁଲୁକିବ ସହର, DJ ବାଜିଲେ ହେବ ଆକ୍ସନ୍

ଭୁବନେଶ୍ୱର, ୨୨/୧୦: ବିଜୟା  ଦଶମୀ ସହ ସରିଲା ମା’ଜଗତଜନନୀଙ୍କ  ପୂଜା । ଆଜି ମେଲାଣି ନେବେ ମା’ ।  ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭସାଣି ପାଇଁ  ରାଜଧାନୀର ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ  ସ୍ଥଳୀ କରାଯାଇଛି । ଭସାଣି ଉତ୍ସବ ପାଇଁ ୪୮  ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଅଫିସର  ନିୟୋଜିତ ହେବେ । ଭସାଣି ଉତ୍ସବରେ ଡିଜେ  ବାଜିବାକୁ ଅନୁମତି ଦିଆଯାଇନାହିଁ । ଡିଜେ ବାଜିଲେ ତାହା ଜବତ ହେବ ଏବଂ ଧର୍ତ୍ତବ୍ୟ  ଅପରାଧ ମାମଲା ମଧ୍ୟ ରୁଜୁ ହେବ ବୋଲି ଡିସିିପି  ଶ୍ରବଣ ଏମ୍‌ ବିବେକ୍‌ କହିଛନ୍ତି ।

ଗୁରୁବାର ଅପରାହ୍ଣ ୨ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ । ନୂଆପଲ୍ଲୀ ପୂଜା କମିଟି ସହ ୨୦ଟି ପୂଜା କମିଟିର ମେଢ଼ ସାମିଲ ହେବାକୁ  ଥିବା ବେଳେ ସହିଦନଗର ସହ ୨୪ଟି ମେଢ଼ ଯୋଗଦେବେ । ନୂଆପଲ୍ଲୀର ଭସାଣି ଉତ୍ସବ ନୂଆପଲ୍ଲୀ ଛକରୁ ଆରମ୍ଭ ହେବ । ଆଗପଛ ହୋଇ ମେଢ଼ଗୁଡ଼ିକ ନୂଆପଲ୍ଲୀ, ସିଆରପି,  ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ  ଛକ, ସିରିପୁର ଦେଇ ଏୟାରପୋର୍ଟ  ଏବଂ ସୁର  କମ୍ପାନୀ ଛକକୁ ଯିବେ । ଏହି ଶୋଭାଯାତ୍ରା ବେଳେ ସିଆର୍‌ପି ଛକ ପାର୍ଶ୍ବର ଜୟଦେବ ବିହାର ଆଡ଼କୁ  ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ସିଆରପି ଛକଠାରୁ ଏକାମ୍ର ପାର୍କ ରାସ୍ତା ଦେଇଯିବେ ।

ସହିଦନଗର ଭସାଣି କମିଟିର ସମସ୍ତ  ମେଢ଼ ସହିଦନଗରରରୁ ବାହାରି ରାମମନ୍ଦିର,  ମାଷ୍ଟରକ୍ୟାଣ୍ଟିନ ଦେଇ ରାଜମହଲ ଛକ  ଯାଏ ଯିବେ । ଏହି ଶୋଭାଯାତ୍ରା ବେଳେ ଯାନାବାହନଗୁଡ଼ିକ ସଚିବାଳୟ ମାର୍ଗ ଓ ସଂଲଗ୍ନ  ରାସ୍ତାରେ ଯାତାୟାତ କରିବେ ।  ଉତ୍ତର ଭୁବନେଶ୍ୱର ଦୁଇଟି ଭସାଣି  କମିଟିର ସମସ୍ତ ମେଢ଼ କ୍ଲବ ଟାଉନ ଆପାର୍ଟମେଣ୍ଟ  ପଡ଼ିଆ ଓ ଡମଣା ପଡ଼ିଆରେ ଏକାଠି ହୋଇ  ନାଲକୋ ଛକ ହୋଇଯିବେ । ଶୋଭଯାତ୍ରା ବେଳେ ନନ୍ଦନକାନନ ଛକ ପଟୁ ଜୟଦେବ ବିହାର  ଛକକୁ ଆସୁଥିବା ଯାନବାହନ ଗୁଡ଼ିକୁ କିଟ୍‌ କିମ୍ବା  କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ଦେଇ  ଯିବେ । ଏହି ସବୁ କଟକଣା ଅପରାହ୍ଣ ୨ଟାରୁ  ରାତି ୧ଟା ପର୍ଯ୍ୟନ୍ତ ଲାଗୁ ରହିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button