ଦୁଇ ମହଲା ଘରେ ଚାଲିଥିଲା ଦେହ ବ୍ୟବସାୟ, ଗ୍ରାହକ ବେଶରେ ୩ ଦେହଜୀବୀ, ୨ ଗ୍ରାହକ ଓ ଜଣେ ଦଲାଲଙ୍କୁ ଧରିଲା ପୁଲିସ

ଯାଜପୁର, ୨୨/୧୦: ଯାଜପୁର ରୋଡ୍ ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୁଲିସ। ନହକା-ତେନ୍ତୁଳିଖୁଣ୍ଟା ରାସ୍ତା କଡ଼ରେ ଥିବା ଏକ ଦୁଇ ମହଲା ଘରେ ଚାଲିଥିବା ଏହି ରାକେଟ୍ ଉପରେ ପୁଲିସ ଚଢ଼ାଉ କରିଛି। ଏଥିରେ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଗ୍ରାହକ ଓ ଜଣେ ଦଲାଲଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ଭଡ଼ା ଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସ ପାଖରେ ଖବର ଥିଲା। ଗତରାତିରେ ଏକ ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ଯାଜପୁର ରୋଡ୍ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୁଲିସର ୩ଟି ଟିମ୍ ଚଢ଼ାଉ କରିଥିଲେ। ପୁଲିସ ଗ୍ରାହକ ବେଶରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।
ଚଢ଼ାଉ ସମୟରେ ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ଦାମୀ ମଦ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ୩ ଜଣ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି।ଉଦ୍ଧାର ମହିଳାମାନଙ୍କର ଡାକ୍ତରୀ ପରୀକ୍ଷା ପରେ ଆବଶ୍ୟକ ବ୍ୟବସ୍ଥା ଅନୁଯାୟୀ ସୁଧାର ଗୃହକୁ ପଠାଯିବ। ଅନ୍ୟପକ୍ଷରେ, ଅଟକ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି।
ଏହି ରାକେଟ୍ ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଆଗକୁ ଏହି ଘରକୁ ସିଲ୍ କରାଯିବା ସହ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଅଧିକ ଚଢ଼ାଉ କରାଯିବ ବୋଲି ଯାଜପୁର ରୋଡ୍ ଏସ୍ଡିପିଓ କହିଛନ୍ତି।
ସୌଜନ୍ୟ ପ୍ରମେୟ



