Kataka Dussehra: ମା’ଙ୍କ ଭସାଣି ପାଇଁ ହାଇଆଲର୍ଟ, ୧୩୦ରୁ ଅଧିକ ମେଢ଼କୁ ନେଇ ଦୁଲୁକିବ ସିଲିଭରସିଟି, ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ

କଟକ,୨୨/୧୦: ବୁଧବାର ବିଳମ୍ବିତ ରାତିରେ କିଛି ହାତଗଣତି ମେଢ଼ ଦେବୀଗଡ଼ାରେ ଆସି ବିସର୍ଜିତ ହୋଇଥିଲେ ହେଁ, ଗୁରୁବାର ସହରରେ ଆନୁଷ୍ଠାନିକ ଭସାଣି ଉତ୍ସବ ହେବ । ଭସାଣି ଶୋଭାଯାତ୍ରାରେ ସହରର ରାସ୍ତାଘାଟ ଦୁଲୁକିବ । ଘଣ୍ଟ, ଘଣ୍ଟା, ଢୋଲ, ମାଦଳ ବାଜା ଆଦି ପାରମ୍ପରିକ ବାଦ୍ୟଠାରୁ ବ୍ରାସ୍ ବ୍ରାଣ୍ଡ୍ ଓ ଇଲୋକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ରରେ ଶୋଭାଯାତ୍ରାକାରୀମାନେ ମେଢ଼କୁ ସାହି ପରିକ୍ରମା କରାଇ ସାରିବା ପରେ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ସାମିଲ୍ ହେବେ ।
ମହାନଗର ପୂଜା କମିଟି ଅଧୀନରେ ପାଖାପାଖି ୧୩୦ରୁ ଅଧିକ ମେଢ଼ ପାରମ୍ପରିକ ବ୍ୟବସ୍ଥାରେ ଭସାଣି ଶୋଭାଯାତ୍ରାରେ ସାମିଲ୍ ହୋଇ କାଠଯୋଡ଼ିର ଦେବୀଗଡ଼ା ଅଭିମୁଖେ ଯିବେ । ମା’ଙ୍କ ମୃଣୟ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ନଦୀରେ ୩ଟି ଅସ୍ଥାୟୀ ଜଳାଶୟର ବନ୍ଦୋବସ୍ତ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ଭସାଣି ଶୋଭାଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ୬୨ ପ୍ଲାଟୁନ୍ ଅଧିକ ଫୋର୍ସ ମୁତୟନ କରାଯାଇଛି । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ସିଆର୍ପିଏଫ୍ ଓ ରାପିଡ୍ ଆକ୍ସନର ଫୋର୍ସ ମଧ୍ୟ ପୃଥକ୍ ଭାବେ ମୁତୟନ କରାଯାଇଛି । ସେହିପରି ୩ ଶହରୁ ଅଧିକ ଅଫିସର ମଧ୍ୟ ନିୟୋଜିତ କରାଯାଇଛି । ପୁଲିସ ଫୋର୍ସ ସକାଳ ୮ଟା ସୁଦ୍ଧା ପ୍ରତି ମେଢ଼ ନିକଟରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହାଓଡା ମୋଟର ଛକ ନିକଟରୁ ଗୌରୀଶଙ୍କର ପାର୍କ ଯାଏ ଅଧିକ ଫୋର୍ସ ମୁତୟନ କରାଯାଇଛି । କଦମରସୁଲ୍ ଓ ହାତୀପୋଖରୀ ଆଦି ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ କ୍ୟାମ୍ପ୍ ପକାଇ ରହିଛନ୍ତି । ଉକ୍ତ ଅଞ୍ଚଳରେ ବନ୍ଧୁକଧାରୀ ଫୋର୍ସ କଡ଼ା ପହରା ଦେଉଛନ୍ତି ।
ସୌଜନ୍ୟ ପ୍ରମେୟ



