ଆଜି ନ୍ୟୁଜିଲାଣ୍ଡ ଓ ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଭୁବିଙ୍କ ସୁଇଂ ବୋଲିଂକୁ ଅପେକ୍ଷା

ଖ୍ରୀଷ୍ଟଚର୍ଚ୍ଚ, ୨୨/୧୦: ଆଜି ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଖ୍ରୀଷ୍ଟଚର୍ଚ୍ଚ(ଓଭାଲ୍ ଗ୍ରାଉଣ୍ଡ)ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ । ଭାରତୀୟ ସମୟ ଦିନ ୧୨.୩୦ରେ ଖେଳ ଆରମ୍ଭ ହେବ ।
ମାତ୍ର ୪ ଦିନର ବ୍ୟବଧାନ । ୧୨,୫୦୦ରୁ ଅଧିକ କିଲୋମିଟର ବିମାନ ଯାତ୍ରାର ଦିନକ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳିବ । ଶୁକ୍ରବାର ଦିନ(୧୭ ତାରିଖ) ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଶେଷ ହେବା ପରେ ଭାରତୀୟ ଦଳ ଖ୍ରୀଷ୍ଟଚର୍ଚ୍ଚରେ ଓହ୍ଲାଇଥିଲା । ବୁଧବାର ଦଳ ଅଭ୍ୟାସ କରି ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଛି । ଠିକ୍ ଏଭଳି ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ଓ ଅଭ୍ୟାସର ଅଭାବ ଯୋଗୁଁ ଭାରତୀୟ ଦଳ ଗତ ଜୁନ ମାସରେ ଆୟର୍ଲାଣ୍ଡ ଗସ୍ତ କରି ୦-୨ରେ ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିଲା । ଏହି ସିରିଜ ଜରିଆରେ ଶ୍ରେୟାସ ଆୟରଙ୍କ ନେତୃତ୍ୱ ଉପରେ ନଜର ରଖାଯିବ । ସେ ଅଧିନାୟକ ଭାବେ ବିଦେଶ ମାଟିରେ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିଛନ୍ତି ଓ ଉଭୟ ପରାଜିତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ସିରିଜ ଜରିଆରେ ସେ ପରାଜୟରେ ପୂର୍ଣ୍ଣଚ୍ଛେଦ ପକାଇବେ ।
ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳିଥିବା ଏକାଦଶ ସ୍ଥାନ ବଜାୟ ରଖିବେ । କେବଳ ବୋଲିଂ ବିଭାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଭୁବନେଶ୍ୱର କୁମାର ପେସ୍ ବୋଲିଂ ବିଭାଗର ଦାୟିତ୍ୱ ନେବେ । ସେହିପରି ଫିଟ୍ ହୋଇ ଫେରିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଟିମ ମ୍ୟାନେଜମେଣ୍ଟ ଏକାଦଶରେ ଏକ ସ୍ଥାନ ଖାଲି ରଖିବ । ନମନ ଧିର ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ ।
ନ୍ୟୁଜିଲାଣ୍ଡ ଦଳରେ ରଚିନ ରବିନ୍ଦ୍ର, ଜ୍ୟାକ ଫୋଲ୍କସ ଓ ମାର୍କ ଚାପମାନ ନାହାନ୍ତି । ତଥାପି ଏକ ଶକ୍ତିଶାଳୀ ଦଳନେଇ ନ୍ୟୁଜିଲାଣ୍ଡ ଗ୍ରାଉଣ୍ଡକୁ ଓହ୍ଲାଇବ । ମିଚେଲ ସାଣ୍ଟନର, ମାଇକେଲ ବ୍ରେସୱେଲ ସ୍ପିନ୍ ବୋଲିଂ ବିଭାଗ ସମ୍ଭାଳିବେ । ମାଟ୍ ହେନରୀ, ଲୋକି ଫର୍ଗୁସନ, କେଲି ଜାମିସନ ପେସ୍ ବୋଲର ଭାବେ ଦଳରେ ସ୍ଥାନ ବଜାୟ ରଖିବେ ।
ସୌଜନ୍ୟ ପ୍ରମେୟ




