ଦେଶ ବିଦେଶ

Tiger Shroff: ରୁମ୍‌ ନମ୍ବର ୨୦୧, ନକଲି ନାମ ଓ ପିସ୍ତଲ ଯାଞ୍ଚ

ମୁମ୍ବାଇରେ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତରୁ ଆଜି ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଅନୁଯାୟୀ, ସନ୍ଦିଗ୍ଧମାନେ ନକଲି ନାମରେ ଏକ ହୋଟେଲରେ ରହୁଥିଲେ।

ମୁମ୍ବାଇ: ମୁମ୍ବାଇରେ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତରୁ ଆଜି ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଅନୁଯାୟୀ, ସନ୍ଦିଗ୍ଧମାନେ ନକଲି ନାମରେ ଏକ ହୋଟେଲରେ ରହୁଥିଲେ। ସେଠାରେ ପିସ୍ତଲ ଯାଞ୍ଚ କରିବା ସମୟରେ ଭୁଲ୍‌ବଶତଃ ଗୋଟିଏ ଗୁଳି ଫୁଟି ଖଟରେ ବାଜିଥିଲା।

ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଅନ୍ଧେରୀସ୍ଥିତ ଆର୍‌ଆର୍‌ ରେସିଡେନ୍ସିର ୨୦୧ ନମ୍ବର ରୁମ୍‌ରେ ରହୁଥିଲେ। ସେମାନେ ନିଜର ନାମ ଅଙ୍କିତ ଓ ମୋହିତ ବୋଲି କହିଥିଲେ। କିନ୍ତୁ ସେମାନଙ୍କ ପ୍ରକୃତ ନାମ ଫୁଲ୍‌ ସିଂହ ଓ ରେହାନ। ଅଭିଯୁକ୍ତମାନେ ନିଜକୁ ହରିୟାଣାର ହିସାର୍‌ ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ହୋଟେଲ ରୁମ୍‌ ପାଇଁ ସେମାନେ ଦୈନିକ ୧୫୦୦ ଟଙ୍କା ଦେଉଥିଲେ।

ତଦନ୍ତ ଅନୁଯାୟୀ, ଅଭିଯୁକ୍ତମାନେ ଅକ୍ଟୋବର ୧୪ ତାରିଖ ପୂର୍ବାହ୍ଣ ୧୧ଟାରୁ ୧୧ଟା ୩୦ ମଧ୍ୟରେ ହୋଟେଲରେ ପହଞ୍ଚିଥିଲେ। ଅକ୍ଟୋବର ୧୮ ତାରିଖ ଅପରାହ୍ଣ ୪ଟାରୁ ୪ଟା ୩୦ ମଧ୍ୟରେ ସେମାନେ ହୋଟେଲ ଛାଡ଼ିଥିଲେ। ହୋଟେଲର ସିସିଟିଭି ଫୁଟେଜ୍‌ରୁ ପୁଲିସ ସେମାନଙ୍କ ଗତିବିଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପୁଲିସ କହିଛି ଯେ ଅପରାଧ ଘଟାଇବା ପୂର୍ବରୁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଅସ୍ତ୍ରର ପରୀକ୍ଷା କରିଥିଲେ। ତଦନ୍ତ ସମୟରେ ସେମାନେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଜଣେ ଅଭିଯୁକ୍ତ ଦୁଇ ରାଉଣ୍ଡ୍‌ ଗୁଳି ଚଳାଇଥିବା ବେଳେ ଅନ୍ୟଜଣେ ଗୋଟିଏ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ହୋଟେଲ ରୁମ୍‌ରେ ଭୁଲ୍‌ବଶତଃ ଗୋଟିଏ ଗୁଳି ଫୁଟି ଖଟରେ ବାଜିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ସିସିଟିଭି ଫୁଟେଜ୍‌ ଅନୁଯାୟୀ, ଅଭିଯୁକ୍ତ ଦୁଇଜଣ ଅକ୍ଟୋବର ୧୮ ତାରିଖ ଅପରାହ୍ଣ ୪ଟାରୁ ୪ଟା ୧୫ ମଧ୍ୟରେ ହୋଟେଲ ଛାଡ଼ିଥିଲେ। ଏହାପରେ ସେମାନେ ଜୁହୁସ୍ଥିତ ପୁଷ୍ପା ପାର୍କ ଫୁଟବଲ୍‌ ଗ୍ରାଉଣ୍ଡ୍‌ ଅଭିମୁଖେ ଯାଇଥିଲେ। ସେହି ସ୍ଥାନରେ ଟାଇଗର୍‌ ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button