Odisha Weather Update: ଲଘୁଚାପ: ୨୬ରୁ ବଦଳିବ ଓଡ଼ିଶାର ପାଗର ମିଜାଜ୍, ବାତ୍ୟା ନେଇ ଚିତ୍ର ଅସ୍ପଷ୍ଟ
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ମଧ୍ୟରେ ଅକ୍ଟୋବର ୨୬ରୁ ଓଡ଼ିଶାର ପାଗ ବଦଳିବ। ୧୨ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଭୁବନେଶ୍ବର: ଆଣ୍ଡାମାନ ସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି (ଗୁରୁବାର) ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଉପରେ ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶୁକ୍ରବାର ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୫ ତାରିଖ ପୂର୍ବାହ୍ଣ ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ସମ୍ପ୍ରସାରିତ ପୂର୍ବାନୁମାନରେ ସ୍ପଷ୍ଟ କରାଯାଇଛି।
ଆଇଏମ୍ଡି ତଥ୍ୟ ଅନୁଯାୟୀ ୧୯୮୫ରୁ ୨୦୧୨ ମଧ୍ୟରେ ମୌସୁମୀ ପରବର୍ତ୍ତୀ ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ଗତିପଥକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଲାନିନା ବର୍ଷଗୁଡ଼ିକରେ ଅକ୍ଟୋବର ମାସରେ ସୃଷ୍ଟି ବାତ୍ୟା ସାଧାରଣତଃ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁ ହୋଇଥାଏ। ତେବେ ଏଲ୍-ନିନୋ ବର୍ଷଗୁଡ଼ିକରେ ଅକ୍ଟୋବର ମାସରେ ଏହା ସାଧାରଣତଃ ଆନ୍ଧ୍ରପ୍ରଦେଶ କିମ୍ଵା ତାମିଲନାଡୁ ମୁହାଁ ହୁଏ। ତେବେ ନଭେମ୍ବର ମାସରେ ଲାନିନା ବର୍ଷଗୁଡ଼ିକରେ ଏହା ପୂର୍ବ ଉପକୂଳର ଯେ କୌଣସି ଅଞ୍ଚଳ ମୁହାଁ ହେବାର ନଜରି ରହିଛି, କିନ୍ତୁ ଡିସେମ୍ବର ମାସରେ କେବେବି ଓଡିଶା ମୁହାଁ ହୁଏ ନାହିଁ।
ସୌଜନ୍ୟ ସମ୍ବାଦ




