ରାଜ୍ୟ

Kotia: ବିବାଦୀୟ କୋଟିଆରେ ନିର୍ବାଚନକୁ ନେଇ ଚେତାବନୀ: ‘ଉଭୟ ରାଜ୍ୟରେ ଭୋଟ ଦେବୁ, ଅଟକାଇଲେ…’

ଆମେ ଉଭୟ ରାଜ୍ୟର ଯୋଜନା ହାତଉଛୁ। ତେଣୁ ଉଭୟ ରାଜ୍ୟର ନିର୍ବାଚନରେ ଭାଗ ନେବୁ। ଯଦି ଅଟକାଇବା ପାଇଁ ଚେଷ୍ଟା କରାଯିବ ତାହା ହେଲେ ପରିସ୍ଥିତି ଅଲଗା ହେବ। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ଏମିତି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ପଟାଙ୍ଗି/କୋରାପୁଟ: ଆମେ ଉଭୟ ରାଜ୍ୟର ଯୋଜନା ହାତଉଛୁ। ତେଣୁ ଉଭୟ ରାଜ୍ୟର ନିର୍ବାଚନରେ ଭାଗ ନେବୁ। ଯଦି ଅଟକାଇବା ପାଇଁ ଚେଷ୍ଟା କରାଯିବ ତାହା ହେଲେ ପରିସ୍ଥିତି ଅଲଗା ହେବ। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ଏମିତି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଆନ୍ଧ୍ର ନିର୍ବାଚନକୁ ଭଣ୍ଡୁର କରିବାକୁ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଥିବା ବେଳେ କୋଟିଆବାସୀଙ୍କ ଏଭଳି ଚେତାବନୀ ଓଡ଼ିଶା ସରକାରଙ୍କୁ ଅକଳରେ ପକାଇ ଦେଇଛି।

କୋଟିଆରେ ରାତି କାଟିଲେ ଉପଜିଲ୍ଲାପାଳ
ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ସେପଟେ ଆନ୍ଧ୍ରକୁ ବିରୋଧ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କୋଟିଆରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ବୁଧବାର କୋଟିଆରେ ରାତ୍ରିଯାପନ କରି ବିବାଦୀୟ ଗାଁଗୁଡ଼ିକ ବୁଲିଛନ୍ତି। ସୀମାନ୍ତ ନେରେଡ଼ିବାଲସା, ଉପରସେମ୍ବୀ, ତଳସେମ୍ବୀ, କୋଟିଆ, ଫଗୁଣସିନେରୀ, ଫାଟୁସିନେରୀର ଘର ଘର ବୁଲି ସରକାରୀ ଯୋଜନା ଓ ମୌଳିକ ସୁବିଧା ମିଳୁଛି କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି। ଉପଜିଲ୍ଲାପାଳଙ୍କ ସହ କୋଟିଆ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ସୌରଭ ଦାସ, ପଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ବିଡିଓ ରାମକୃଷ୍ଣ ନାୟକ, ଅତିରିକ୍ତ ତହସିଲଦାର ସ୍ୱାଗତିକା ରାଉତ, ସିଡିପିଓ ମିନତିବାଳା ପଟ୍ଟନାୟକ, କୋରାପୁଟ ଏସ୍‌ଡିପିଓ, କୋଟିଆ ଥାନା ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ନେଇ ସମୟ ଧାର୍ଯ୍ୟ କରିଛି ଆନ୍ଧ୍ର। ନଭେମ୍ବର ୩ରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାର କୋଟିଆର ୱାଇଏସ୍‌ଆର୍‌ ଓ ଟିଡିପି ପକ୍ଷରୁ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗଞ୍ଜେଇପଦରର ୨ ଜଣ ଏମ୍‌ପିଟିସି (ସମିତିସଭ୍ୟ) ପଦବି ପାଇଁ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ନେତା ମଧ୍ୟ କୋଟିଆରେ ଆନ୍ଧ୍ରକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡ଼ିଲେଣି। ଫଳରେ କୋଟିଆ ରାଜନୀତି ସରଗରମ ହେବାରେ ଲାଗିଛି।

ଛଳନାର ଲମ୍ବା ଇତିହାସ, ‘ଓଡ଼ିଆ ଅସ୍ମିତା’ ବାଜିରେ ଲାଗିଛି 

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୦୨୧ ଜାନୁଆରି। ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିର ଏକ ବୈଠକ ବସିଥିଲା। ଗୃହ କମିଟି କୋଟିଆ ଯିବ ବୋଲି ସ୍ଥିର ହୋଇଥିଲା। କୋଟିଆ ପରେ ସବୁ ସୀମାବର୍ତ୍ତୀ ଅଞ୍ଚଳକୁ ପର୍ଯ୍ୟାୟକ୍ରମେ କମିଟି ସଦସ୍ୟମାନେ ଯାଇଥା‌ନ୍ତେ। ବର୍ଷ ପରେ ବର୍ଷ ଗଡ଼ିଲା, କିନ୍ତୁ ଗୃହ କମିଟିକୁ କୋଟିଆ ଯିବା ପାଇଁ ସମୟ ହେଲାନି। କେବଳ ଗଣମାଧ୍ୟମ ଘୋଷଣାରେ କମିଟିର ନିଷ୍ପତ୍ତି ଅଟକିଗଲା। ୨୦୨୧ ନଭେମ୍ବର। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ମଧ୍ୟରେ ବୈଠକ ହେଲା। କୋଟିଆ ସମେତ ଅନେକ ଦ୍ବିପାକ୍ଷିକ ସମସ୍ୟା ଆଲୋଚନା ହେଲା। କିଛି ନିଷ୍କର୍ଷ ବାହାରି ନଥିଲେ ବି ଆଶା ଦେଖାଦେଇଥିଲା। ଏହା ପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ‌ମଧ୍ୟ ହୋଇଥିଲା। ଲାଗୁଥିଲା ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇଯିବ। କିନ୍ତୁ ସେମିତି କିଛି ହେଲାନି। ବୈଠକ କେବଳ ପ୍ରହେଳିକା ଥିଲା ବୋଲି ପରେ ଜଣାପଡ଼ିଲା।
୨୦୨୫ ମେ’। କୋଟିଆ ପାଇଁ ବର୍ତ୍ତମାନର ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ ହେଲା। ଏଥିରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଲେ। ନିଷ୍ପତ୍ତି ହେଲା, ଏହି କମିଟି କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିବ। କୋଟିଆ ଓଡ଼ିଶାର ବୋଲି ସବୁପ୍ରକାର ପଦକ୍ଷେପ ନେବ। ଗତ ୧୬ ମାସ ମଧ୍ୟରେ କମିଟି ଏହା ମଧ୍ୟରେ କେବେ କୋଟିଆ ଗଲା, ତାହା ଜଣାପଡ଼ିଲାନି।  କୋଟିଆକୁ ନେଇ ଏମିତି ଛଳନାର ଇତିହାସ ବେଶ୍‌ ଲମ୍ବା ଓ ଚିନ୍ତାଜନକ। କଥା ଏତିକିରେ ସରିନି। ୨୦୨୫ ମେ’ ମାସରେ ବର୍ତ୍ତମାନର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୀମା ସଂକ୍ରାନ୍ତୀୟ ଗୃହ କମିଟି ବୈଠକ ବସିଥିଲା। ଗୃହ କମିଟି କୋଟିଆ ସମେତ ଅନ୍ୟ ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳକୁ ଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ୧୬ ମାସ ହେଲା ସମୟ ବାହାରି ପାରୁନାହିଁ କିମ୍ବା ସୀମା ବିବାଦ ବଡ଼ ପ୍ରସଙ୍ଗ ପରି କମିଟିର ସଦସ୍ୟମାନେ ଅନୁଭବ କରିପାରୁ ନାହାନ୍ତି।
‘ଓଡ଼ିଆ ଅସ୍ମିତା’ ବାଜିରେ ଲାଗିଛି
ଗୃହ କମିଟିକୁ ସମୟ ହେଉନି
୧୬ ଜଣିଆ ଉଚ୍ଚସ୍ତରୀୟ କମିଟି ବି ଭୁବନେଶ୍ବରରେ ସୀମିତ
ବାସ୍ତବତା ହେଲା, ଯେତେବେଳେ କୋଟିଆରେ ଆନ୍ଧ୍ରପ୍ରଦେଶର ରାଜନେତା ଓ ପ୍ରଶାସନିକ ଅଧିକାରୀ ଅନଧିକାର ପ୍ରବେଶ କରି ହସ୍ତକ୍ଷେପ କରୁଛନ୍ତି ଠିକ୍‌ ସେତେବେ‌ଳେ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି। ପରସ୍ପରକୁ ଦୋଷାରୋପ କରି ସବୁ ଦଳର ନେତା ରାଜନୀତିର ରୁଟି ସେକୁଛନ୍ତି। କୋଟିଆ ସମସ୍ତଙ୍କ ପାଇଁ ସାମୟିକ ଭା‌ବେ ଏକ ବଡ଼ ପ୍ରସଙ୍ଗ ପାଲଟିଯାଉଛି। ‘ଓଡ଼ିଆ ଅସ୍ମିତା’ର ଦ୍ବାହି ଦେଇ ସମସ୍ତେ ବେଶ୍‌ ଭାଷଣବାଜି କରୁଛନ୍ତି। କିନ୍ତୁ କିଛି ଦିନ ପରେ ପ୍ରସଙ୍ଗଟି ଦୂରକୁ ଠେଲି ହୋଇଯାଉଛି। ‘ଓଡ଼ିଆ ଅସ୍ମିତା’ ବାଜିରେ ଲାଗିଯାଉଛି।  କୋଟିଆରେ ଯେ ଓଡ଼ିଶା‌ ସରକାର ବିକାଶମୂଳକ କାର୍ଯ୍ୟ କରୁନାହାନ୍ତି, ତାହା ନୁହେଁ। ପୂର୍ବ ସରକାର ଅମଳରେ କିଛି କାମ ହୋଇଥିଲା। ବର୍ତ୍ତମାନ ବି କିଛି କାମ ଚାଲିଛି। କିନ୍ତୁ କୋଟିଆବାସୀ ନିଜକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ବୋଲି କହିବାକୁ କାହିଁକି କୁନ୍ଥକୁନ୍ଥ ହେଉଛନ୍ତି, ତାହାର କାରଣ ରାଜ୍ୟ ପ୍ରଶାସନ ପକ୍ଷରୁ ଖୋଜାଯାଉ ନାହିଁ। କେବଳ ବିବାଦ ଘନେଇଲା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ପଠାଇଦେଇ ସରକାର କାମ ଶେଷ କରି ଦେଉଛନ୍ତି। ବର୍ତ୍ତମାନ କୋଟିଆରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଚିଠି ଲେଖି ବିଧିବଦ୍ଧ ପ୍ରତିବାଦ ବି ଜଣାଇ ନାହାନ୍ତି।
ଆନ୍ଧ୍ରପ୍ରଦେଶରେ ପୂର୍ବର ୱାଇଏସ୍‌ଆର୍‌ କଂଗ୍ରେସ ସରକାର ହେଉ କି ବର୍ତ୍ତମାନର ଟିଡିପି ନେତୃତ୍ବାଧୀନ ସରକାର ହେଉ, କୋଟିଆକୁ ନେଇ ସେଠାକାର ସବୁ ରାଜ‌ନୈତିକ ଦଳ ସମାନ ଆଭିମୁଖ୍ୟ ଦେଖାଉଛନ୍ତି। କୋଟିଆକୁ ଆନ୍ଧ୍ରପ୍ରଦେଶର ବୋଲି ସାବ୍ୟସ୍ତ କରିବାକୁ ସେମାନେ ସବୁପ୍ରକାର ପ୍ରଶାସନିକ କସରତ କରୁଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଲା,‌ କୋଟିଆର ସ୍ଥାନୀୟ ଲୋକ ହିଁ ସେମାନଙ୍କୁ ଏଥିରେ ସହଯୋଗ କରୁଛନ୍ତି। ବିଭିନ୍ନ ସମୟରେ ଆନ୍ଧ୍ରପ୍ରଦେଶ ପ୍ରଶାସନର ପ୍ରଲୋଭନରେ ଆକୃଷ୍ଟ ହେଉଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କର ଠୋସ୍ ଯୋଜନା କ’ଣ, ତାହା ବର୍ଷ ବର୍ଷ ଧରି କେହି ଠଉରାଇ ପାରୁନାହାନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button