ଭୁବନେଶ୍ବର: ପରୀକ୍ଷା ବିଳମ୍ବ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍ଏସ୍) ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଶ୍ବବିଦ୍ୟାଳୟ ଅଧୀନରେ ଦ୍ବିତୀୟ ବର୍ଷର ବିଏଏମ୍ଏସ୍ ଓ ବିଏଚ୍ଏମ୍ଏସ୍ ପରୀକ୍ଷାସୂଚୀ ପ୍ରକାଶରେ ଅହେତୁକ ବିଳମ୍ବକୁ ନେଇ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସ୍ଥାୟୀ ପ୍ରଶାସନିକ ସମାଧାନ ପାଇଁ ଆଜି ‘ଅଲ୍ ଓଡ଼ିଶା ଆୟୁଷ ଛାତ୍ର ସଂଘ’ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ, ପରୀକ୍ଷାସୂଚୀ ନ ବାହାରିଲେ ଗଣଧାରଣା
ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟଙ୍କୁ ପତ୍ର ଲେଖିଲେ ଛାତ୍ରଛାତ୍ରୀ
ଛାତ୍ର ସଂଘର କହିବାନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫର୍ମ ପୂରଣ କରିସାରିଛନ୍ତି। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷାସୂଚୀ ଜାରି କରିନାହାନ୍ତି। ପରୀକ୍ଷା ବାରମ୍ବାର ବିଳମ୍ବ ହେବା ଯୋଗୁଁ ଆୟୁଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାଗତ ଜଟିଳତା ଦେଖାଦେଇଛି। ପରୀକ୍ଷାରେ ବିଳମ୍ବ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିସନ, ଜାତୀୟ ହୋମିଓପାଥି କମିସନର ସରକାରୀ ନିୟମାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିୟର ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତର ପ୍ରଭାବ ପକାଉଛି। ଆସନ୍ତା ୨୪ ତାରିଖସୁଦ୍ଧା ଯଦି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାସୂଚୀ ଜାରି ନ କରନ୍ତି, ତେବେ ୨୬ ତାରିଖରୁ ଛାତ୍ର ସଂଘ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ।
କୁଳପତି କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଛାତ୍ର ସଂଘ ସଭାପତି ପବିତ୍ର ରଞ୍ଜନ ମଲ୍ଲିକ ଓ ସାଧାରଣ ସମ୍ପାଦକ ଗୌତମ ମହାରାଣା କହିଛନ୍ତି। ଏ ସଂପର୍କରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡା.ମାନସ ରଂଜନ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ। ଉଲ୍ଲେଖ ଯେ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଛି। ବିଶ୍ବବିଦ୍ୟାଳୟ ଅଧୀନରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟାନୁଷ୍ଠାନଙ୍କ ପରୀକ୍ଷା ବିଭ୍ରାଟ ଦେଖିବାକୁ ମିଳିଛି। ପୂର୍ବରୁ ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟର ପରୀକ୍ଷା ବିଳମ୍ବ ହୋଇଥିଲା। ୩ମାସ ତଳେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ନଜରକୁ ଆସିବା ପରେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଏହାସହ ମନଇଚ୍ଛା ନିଯୁକ୍ତିକୁ ନେଇ ମଧ୍ୟ ବିଶ୍ବବିଦ୍ୟାଳୟକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ଟିପ୍ପଣୀ ଦିଆଯାଇଥିବା ମଧ୍ୟ ନଜରକୁ ଆସିଛି।
ସୌଜନ୍ୟ ସମ୍ବାଦ