Swami Swarupananda Saraswati: ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ‘ଷୋଡ଼ଶୀ’ ଏକ ଆଧ୍ୟାତ୍ମିକ ମହୋତ୍ସବ
ସାଧୁମାନଙ୍କର ମହାପ୍ରୟାଣ କୌଣସି ଶୋକସଭା ନୁହେଁ ବରଂ ଆତ୍ମା ସହ ପରମାତ୍ମାଙ୍କ ମିଳନ ହେତୁ ଏହା ଏକ ଆଧ୍ୟାତ୍ମିକ ମହୋତ୍ସବ। ନିଜର ଶେଷଯାତ୍ରାରେ ସେମାନେ ଗୁରୁଙ୍କ ମାର୍ଗଦର୍ଶନ ଅବଲମ୍ୱନ କରି ତାଙ୍କରି ଚରଣାରବିନ୍ଦରେ ସଦାକାଳ ଆଶ୍ରୟ ନିଅନ୍ତି।

ଭୁବନେଶ୍ୱର: ସାଧୁମାନଙ୍କର ମହାପ୍ରୟାଣ କୌଣସି ଶୋକସଭା ନୁହେଁ ବରଂ ଆତ୍ମା ସହ ପରମାତ୍ମାଙ୍କ ମିଳନ ହେତୁ ଏହା ଏକ ଆଧ୍ୟାତ୍ମିକ ମହୋତ୍ସବ। ନିଜର ଶେଷଯାତ୍ରାରେ ସେମାନେ ଗୁରୁଙ୍କ ମାର୍ଗଦର୍ଶନ ଅବଲମ୍ୱନ କରି ତାଙ୍କରି ଚରଣାରବିନ୍ଦରେ ସଦାକାଳ ଆଶ୍ରୟ ନିଅନ୍ତି। ତେଣୁ ସନ୍ନ୍ୟାସୀଙ୍କ ଜୀବନ ଦର୍ଶନ ଅନୁଯାୟୀ, ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ‘ଷୋଡ଼ଶୀ’ ହେଉଛି ଏକ ଆଧ୍ୟାତ୍ମିକ ମହୋତ୍ସବ। ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଷୋଡ଼ଶୀ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏଭଳି କହିଛନ୍ତି ବିହାର ଯୋଗ ବିଦ୍ୟାଳୟର ପରମାଚାର୍ଯ୍ୟ ସଦ୍ଗୁରୁ ସ୍ୱାମୀ ନିରଞ୍ଜନାନନ୍ଦ ସରସ୍ୱତୀ। ସ୍ୱାମୀ ସ୍ୱରୂପାନନ୍ଦଙ୍କ ସରଳ, ସ୍ନେହୀ ଓ ନିଷ୍କପଟ ଜୀବନାଦର୍ଶ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ତାଙ୍କର ଗୁରୁ ଭକ୍ତି, କର୍ତ୍ତବ୍ୟପରାୟଣତା, ଶ୍ରଦ୍ଧା, କରୁଣା, ନିଷ୍ଠା ତଥା ସମର୍ପଣ ଭାବ ତାଙ୍କୁ ଚିରକାଳ ସମସ୍ତଙ୍କ ହୃଦୟରେ ବାନ୍ଧିରଖିବ ବୋଲି ସେ କହିଥିଲେ।
ବିହାର ଯୋଗ ବିଦ୍ୟାଳୟର ଅନ୍ୟତମ ସନ୍ନ୍ୟାସୀ ସ୍ୱାମୀ ଶିବରାଜାନନ୍ଦ ସରସ୍ୱତୀ ତାଙ୍କ ବକ୍ତବ୍ୟରେ, ସ୍ବରୂପାନନ୍ଦଙ୍କ ଗୁରୁଭକ୍ତି, ଆତ୍ମଜ୍ଞାନ ଓ ସାହସର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ତାଙ୍କ ଆଦର୍ଶ ଓ ଆଧ୍ୟାତ୍ମିକ ପ୍ରେରଣା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ।
ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୁଦତ୍ତା ପଟ୍ଟନାୟକ ସ୍ୱାଗତ ଅଭିଭାଷଣରେ, ଏହି ଆଧ୍ୟାତ୍ମିକ ଉତ୍ସବରେ ବ୍ୟକ୍ତି ଚେତନା ପରମ ଚେତନାରେ ବିଲୀନ ହୋଇଛି ବୋଲି କହିଥିଲେ। ସେ ଜାନୁଆରି ୩୦, ୧୯୫୩ ମସିହାରେ ବିହାରରେ ଜନ୍ମଗ୍ରହଣ କରିଥିଲେ ଏବଂ ୫୪ ବର୍ଷ ଧରି ଯୋଗର ପ୍ରଚାର ଓ ପ୍ରସାର ମାଧ୍ୟମରେ ସମାଜସେବାକୁ ଜୀବନର ଲକ୍ଷ୍ୟ କରିଥିଲେ। ଓଡ଼ିଶା ତାଙ୍କ କର୍ମଭୂମି ଥିଲା। ଗୁରୁଙ୍କ ପ୍ରତି ତାଙ୍କ ସମର୍ପଣ, ଏକନିଷ୍ଠତା, ସରଳତା ଓ ସମ୍ୱେଦନଶୀଳତା ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଅବର୍ତ୍ତମାନରେ ଏକ ବଡ଼ ଦାୟିତ୍ୱ ଆମ ଉପରେ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ଶିକ୍ଷାବିତ୍ ନରେନ୍ଦ୍ର କୁମାର ମିଶ୍ର, ସତୀଶ ଗର୍ଗଙ୍କ ଭଳି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କୀର୍ତ୍ତନ, ଗୀତା ପାଠ, ଲଳିତା ସହସ୍ରନାମ ପାଠ, ରୁଦ୍ରାଭିଷେକ, ଗୋଦାନ ଓ ହବନ ଆଦି ଧାର୍ମିକ ଅନୁଷ୍ଠାନ ହୋଇଥିଲା। ସ୍ୱାମୀଜୀଙ୍କ ସମାଧିସ୍ଥଳ ପରିକ୍ରମା କରାଯିବା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ଭଣ୍ଡାରା କାର୍ଯ୍ୟକ୍ରମ ହୋଇଥିଲା।
ସୌଜନ୍ୟ ସମ୍ବାଦ




