Paddy Crops: ବାର୍ହା ଉପଦ୍ରବରେ ନଷ୍ଟ ହେଉଛି ଧାନ ଫସଲ: ଚିନ୍ତାରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ, ବନ ବିଭାଗର ତଦନ୍ତ ଓ କ୍ଷତିପୂରଣ ଦାବି
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତର ତୋର୍ଲି ଗ୍ରାମରେ ବାର୍ହା ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ନୂଆପଡ଼ା: ନୂଆପଡ଼ାଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତର ତୋର୍ଲି ଗ୍ରାମରେ ବାର୍ହା ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ତଦନ୍ତ କରାଯାଇ ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହୋଇଛି।
ଆର୍ଥିକ ମେରୁଦଣ୍ଡ ଦୋହଲିବା ଆଶଙ୍କା
ସୂଚନା ଅନୁଯାୟୀ, ତୋର୍ଲି ଗ୍ରାମ ସାତପର୍ଲିଆ ଡଙ୍ଗର ନିକଟରେ ଅବସ୍ଥିତ। ଡଙ୍ଗରରୁ ଆସୁଥିବା ବାର୍ହା ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଚାଷୀ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଚାଷୀମାନେ ଧାରକରଜ କରିବା ସହ ଦିନରାତି କଠିନ ପରିଶ୍ରମ କରି ଧାନ ଚାଷ କରିଛନ୍ତି। ଅମଳ ସମୟ ପାଖେଇ ଆସୁଥିବା ବେଳେ ବରାହ ଉପଦ୍ରବରେ ଫସଲ ନଷ୍ଟ ହେବା ଯୋଗୁଁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିବା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଚାଷୀମାନେ ନିଜ ପରିବାରର ଭରଣପୋଷଣ ଓ ଋଣ ପରିଶୋଧ କିପରି କରିବେ, ସେନେଇ ଚିନ୍ତାରେ ଅଛନ୍ତି। ତେଣୁ ବନ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷ ଜମିର ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ନିୟମାନୁଯାୟୀ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଚମ୍ପେଶ୍ୱର ବାଗ, ଗୋପାଳ ବାଗ, ଘନଶ୍ୟାମ ବାଗ, ବନବାସ ବାଗ, ନେତ୍ର ବାଗ, ଉଦ୍ଧବ ବେମାଲ ପ୍ରମୁଖ ପଚାଶରୁ ଅଧିକ ଚାଷୀ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




