Earthquake Struck China’s Tibet: ତିବ୍ବତରେ ୭ ତୀବ୍ରତାର ଭୂମିକମ୍ପ, ୧୬ ମୃତ
ଚୀନ୍ର ତିବ୍ବତ ଅଞ୍ଚଳରେ ଗୁରୁବାର ରାତିରେ ୭ ତୀବ୍ରତାର ଏକଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏଥିରେ ଅତି କମ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି।

ବେଜିଂ:ଚୀନ୍ର ତିବ୍ବତ ଅଞ୍ଚଳରେ ଗୁରୁବାର ରାତିରେ ୭ ତୀବ୍ରତାର ଏକଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏଥିରେ ଅତି କମ୍ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଉତ୍ତର ତିବ୍ବତର ନାଗକୁ ସହରରେ ଶହ ଶହ ଘର ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଭୂମିକମ୍ପରେ ଅତି କମ୍ରେ ୩୩୯ଟି ଘର ଓ ୨୦ଟି ଗୁହାଳ ଭାଙ୍ଗିଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍ଜିଏସ୍) ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧୦ଟା ୩୩ ମିନିଟ୍ରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ନାଗକୁ ସହରଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ପ୍ରାୟ ୧୯୧ କିଲୋମିଟର ଦୂରରେ ଏବଂ ଭୂପୃଷ୍ଠଠାରୁ ୧୮ କିଲୋମିଟର ଗଭୀରରେ ଥିଲା। ନାଗକୁ ତିବ୍ବତର ରାଜଧାନୀ ଲାସାଠାରୁ ୩୦୦ କିଲୋମିଟରରୁ ଅଧିକ ଉତ୍ତରରେ ଅବସ୍ଥିତ। ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ୧,୬୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି। ଭୂମିକମ୍ପରେ ଘର ହରାଇଥିବା ଲୋକଙ୍କ ପାଇଁ ୧,୦୦୦ଟି ପ୍ରସ୍ତୁତ ଆବାସ, ପ୍ରାୟ ୩,୦୦୦ ତମ୍ବୁ, ଫୋଲ୍ଡିଂ ଖଟ, ଟର୍ଚ୍ଚ ଓ ଶୀତବସ୍ତ୍ର ପଠାଯାଇଛି।
ଉଦ୍ଧାର କାର୍ଯ୍ୟ ଜାରି
ଭୂମିକମ୍ପ ପରେ ୪.୩ରୁ ୫.୨ ତୀବ୍ରତା ମଧ୍ୟରେ ଅତି କମ୍ରେ ୭ଟି ପଶ୍ଚାତ୍ କମ୍ପନ ଅନୁଭୂତ ହୋଇଛି। କିଛି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ରେଳ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି। ଭୂମିକମ୍ପ ଯୋଗୁଁ ପାହାଡ଼ରୁ ପଥର ଖସିବାରୁ ଜାତୀୟ ରାଜପଥ ୩୧୭ର ଏକ ଅଂଶକୁ ବନ୍ଦ କରାଯାଇଛି। କେବଳ ଜରୁରିକାଳୀନ ଓ ଉଦ୍ଧାରକାରୀ ଯାନକୁ ଯାତାୟାତ ଅନୁମତି ମିଳୁଛି। ଚୀନ୍ର ସରକାରୀ ପ୍ରସାରଣ ସଂସ୍ଥା ସିସିଟିଭି ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ଏହି ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ଆଗାମୀ ତିନି ଦିନ ମଝିରେ ମଝିରେ ତୁଷାରପାତ ହେବାର ଆଶଙ୍କା ଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ।
ସୌଜନ୍ୟ ସମ୍ବାଦ




