ରାଜ୍ୟ

River: ଅସ୍ତିତ୍ୱ ସଙ୍କଟରେ ୩ ଆନ୍ତଃରାଜ୍ୟ ନଦୀ: ୩୦ ବର୍ଷରେ କଳାହାଣ୍ଡିର ୩୦%ରୁ ଅଧିକ ଜଙ୍ଗଲ ନଷ୍ଟ

ଦିନେ ଘଞ୍ଚ ଜଙ୍ଗଲ ଓ ପ୍ରଚୁର ବର୍ଷା ପାଇଁ ପରିଚିତ ଥିଲା କଳାହାଣ୍ଡିର ପାହାଡ଼ିଆ ଅଞ୍ଚଳ। ଏବେ ଜଙ୍ଗଲ କ୍ଷୟ, ପୋଡ଼ୁ ଚାଷ ଓ ଖଣି ଖନନ ଏହାର ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିବାରେ ଲାଗିଛି।

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଦିନେ ଘଞ୍ଚ ଜଙ୍ଗଲ ଓ ପ୍ରଚୁର ବର୍ଷା ପାଇଁ ପରିଚିତ ଥିଲା କଳାହାଣ୍ଡିର ପାହାଡ଼ିଆ ଅଞ୍ଚଳ। ଏବେ ଜଙ୍ଗଲ କ୍ଷୟ, ପୋଡ଼ୁ ଚାଷ ଓ ଖଣି ଖନନ ଏହାର ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିବାରେ ଲାଗିଛି। ଏହାର ପ୍ରଭାବରେ ଜିଲ୍ଲାରୁ ଉତ୍ପତ୍ତି ହୋଇଥିବା ଇନ୍ଦ୍ରାବତୀ, ବଂଶଧାରା ଓ ନାଗାବଳୀ ଭଳି ତିନିଟି ଆନ୍ତଃରାଜ୍ୟ ନଦୀ ଏବେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ। ଅନିୟମିତ ବର୍ଷା ଯୋଗୁଁ କେଉଁଠି ବନ୍ୟା ତ ଆଉ କେଉଁଠି ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଉପରମୁଣ୍ଡରୁ ଧୋଇ ଆସୁଥିବା ମାଟି ନଦୀଗର୍ଭରେ ଜମା ହୋଇ ଜଳଧାରଣ କ୍ଷମତାକୁ ପ୍ରଭାବିତ କରୁଥିବା ବେଳେ ନଦୀଗୁଡ଼ିକର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ ଏହି ତିନି ନଦୀର ଉତ୍ପତ୍ତି ସହ ଜଡ଼ିତ। ଥୁଆମୂଳ ରାମପୁର ବ୍ଲକ୍‌ରୁ ଇନ୍ଦ୍ରାବତୀ ଓ ନାଗାବଳୀ ନଦୀ ବାହାରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ୍‌ରୁ ବଂଶଧାରାର ଉତ୍ପତ୍ତି। ଏହି ଦୁଇ ବ୍ଲକ୍‌ରେ ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨.୫୪ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଛି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ୩୦ ବର୍ଷ ମଧ୍ୟରେ ୩୦ ପ୍ରତିଶତରୁ ଅଧିକ ଜଙ୍ଗଲ ନଷ୍ଟ ହୋଇ ସାରିଥିବା ତଥ୍ୟରୁ ଜଣାପଡ଼ିଛି। ବର୍ତ୍ତମାନ ଜଙ୍ଗଲକ୍ଷୟ ହାର ଆହୁରି ବଢ଼ିଥିବା କୁହାଯାଉଛି। ଏହାର ସିଧାସଳଖ ପ୍ରଭାବ ପରିବେଶ ଓ ନଦୀର ପ୍ରାକୃତିକ ପ୍ରବାହ ଉପରେ ପଡ଼ୁଛି। ଥୁଆମୂଳ ରାମପୁର ବ୍ଲକ୍‌ର ମରଡ଼ିଗୁଡ଼ାରୁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ପ୍ରାୟ ୫୩୫ କିଲୋମିଟର ଦୀର୍ଘ ଏହି ନଦୀ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟଜିଲ୍ଲା ଦେଇ ପ୍ରବାହିତ ହେବା ପରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଅତିକ୍ରମ କରି ଶିରୋଞ୍ଚା ନିକଟସ୍ଥ ଭଦ୍ରକାଳୀ-ସୋମନୁର ସଙ୍ଗମରେ ଗୋଦାବରୀ ନଦୀ ସହ ମିଶିଛି।

୩୦ ବର୍ଷରେ କଳାହାଣ୍ଡିର ୩୦%ରୁ ଅଧିକ ଜଙ୍ଗଲ ନଷ୍ଟ
ପୋଡ଼ୁ ଚାଷ ଓ ଖଣି ଖନନର ପ୍ରଭାବ, ପଟୁମାଟିରେ ପୋତି ହେଉଛି ନଦୀ

ସେହିପରି ନାଗାବଳୀ ନଦୀ ଥୁଆମୂଳ ରାମପୁର ବ୍ଲକ୍‌ର ଗୁଣପୁର ନିକଟସ୍ଥ ଲାଖବାହାଲ ଅଞ୍ଚଳରୁ ବାହାରିଛି। ପ୍ରାୟ ୨୫୬ କିଲୋମିଟର ପ୍ରବାହିତ ହେବା ପରେ ଏହା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଅତିକ୍ରମ କରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟସ୍ଥ କଲ୍ଲିପାଲିଠାରେ ବଙ୍ଗୋପସାଗରରେ ମିଶିଛି। ଅନ୍ୟପଟେ, ଲାଞ୍ଜିଗଡ଼ ବ୍ଲକ୍‌ର ଦୁର୍ଗାକଙ୍ଗେର ପାହାଡ଼ ନିକଟରୁ ବଂଶଧାରା ନଦୀର ଉତ୍ପତ୍ତି। ପ୍ରାୟ ୨୬୫ କିଲୋମିଟର ଦୀର୍ଘ ଏହି ନଦୀ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କଳିଙ୍ଗପଟନମଠାରେ ବଙ୍ଗୋପସାଗରରେ ମିଶିଛି। ଦିନେ ଥୁଆମୂଳ ରାମପୁର ବ୍ଲକ୍‌ର ଗୁଣପୁର ଅଞ୍ଚଳକୁ ‘କଳାହାଣ୍ଡିର ଚେରାପୁଞ୍ଜି’ ବୋଲି କୁହାଯାଉଥିଲା। ମାତ୍ର ଏବେ ଅନିୟମିତ ବର୍ଷା ଯୋଗୁଁ ସେହି ଅଞ୍ଚଳରେ କେତେବେଳେ ବନ୍ୟା ତ ଆଉ କେତେବେଳେ ମରୁଡ଼ି ଦେଖାଦେଉଛି। ବନ୍ୟା ସମୟରେ ନଦୀକୂଳ ଖାଇବା ସହ ଉପରମୁଣ୍ଡରୁ ବହୁ ପରିମାଣର ମାଟି ଓ ପଟୁମାଟି ଭାସି ଆସି ନଦୀ ଗର୍ଭରେ ଜମା ହେଉଛି। ଏହା ଫଳରେ ନଦୀ ପୋତି ହେବା ସହ ପ୍ରାକୃତିକ ପରିବେଶ ମଧ୍ୟ ପ୍ରଭାବିତ ହେଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button