ରାଜ୍ୟ

VIMSAR: ଭିମ୍‌ସାରରେ ଥମୁନି ରୋଗୀ କଲବଲ: ରକ୍ତ ପରୀକ୍ଷା ପାଇଁ ଦିନ ୧୨ଟା ଯାଏଁ ଉପାସ

ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା କୁହାଯାଉଥିବା ବୁର୍ଲା ବଡ଼ ଡାକ୍ତରଖାନାରେ ରୋଗୀ କଲବଲ ହେବା ସମସ୍ୟା ଥମିବାର ନାଁ ଧରୁନି। ନିତିଦିନ କିଛି ନା କିଛି ଅବ୍ୟବସ୍ଥା ସାମନାକୁ ଆସୁଥିବାବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା କୁହାଯାଉଥିବା ବୁର୍ଲା ବଡ଼ ଡାକ୍ତରଖାନାରେ ରୋଗୀ କଲବଲ ହେବା ସମସ୍ୟା ଥମିବାର ନାଁ ଧରୁନି। ନିତିଦିନ କିଛି ନା କିଛି ଅବ୍ୟବସ୍ଥା ସାମନାକୁ ଆସୁଥିବାବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ପୁଣି ଡାକ୍ତରଖାନାରେ ଥିବା ଆଞ୍ଚଳିକ ରକ୍ତ ପରୀକ୍ଷା କେନ୍ଦ୍ରକୁ ନେଇ ସାଂଘାତିକ ଅଭିଯୋଗ ଆସିଛି। ଦିନ ୯ଟା ଯାଏଁ ଏହି କେନ୍ଦ୍ରକୁ କର୍ମଚାରୀ ଆସୁନଥିବା ବେଳେ କେତେବେଳେ ମେସିନ୍ ଅଚଳ ତ କେତେବେଳେ ଲାଇନ୍ ନଥିବା ଆଳ ଦେଖାଇ ରୋଗୀଙ୍କଠାରୁ ନମୁନା ସଂଗ୍ରହରେ ବିଳମ୍ବ କରାଯାଉଛି। ଏପରିକି ସକାଳ ୭ଟାରୁ ରକ୍ତ ପରୀକ୍ଷା ପାଇଁ ଲାଇନରେ ଥିବା ରୋଗୀଙ୍କ ନମୁନା ଦିନ ୧୨ଟା ବେଳେ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲାଲମୋହନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଅନେକ କର୍ମଚାରୀ ଦଶହରା ଛୁଟିରେ ଚାଲିଯାଇଥିବାରୁ ସମସ୍ୟା ହୋଇଛି। ଦିନେ ଦୁଇ ଦିନରେ ଏହାର ସମାଧାନ ହୋଇଯିବ।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ବୁର୍ଲାର ଆଇନଜୀବୀ ପ୍ରଶାନ୍ତ ପାଢ଼ୀ ରକ୍ତ ପରୀକ୍ଷା କରାଇବାକୁ ଭିମସାର ଆଞ୍ଚଳିକ ନିଦାନ କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ସେତେବେଳେ କେନ୍ଦ୍ର ବନ୍ଦ ଥିବା ବେଳେ ସାମନାରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥିଲା। ୨ଟି ଧାଡ଼ିରେ ଶତାଧିକ ରୋଗୀ ରକ୍ତ ନମୁନା ଦେବାକୁ ଅପେକ୍ଷା କରି ରହିଥିଲେ। ଏ ନେଇ ଭିମସାର ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିବା ପରେ ୯ଟା ୧୮ ମିନିଟରେ ୨ ଜଣ କର୍ମଚାରୀ ପହଞ୍ଚି କେନ୍ଦ୍ର ଖୋଲିଥିଲେ। କିନ୍ତୁ ମେସିନ୍ ଚାଲିବାରେ ସମସ୍ୟା ହେବାରୁ ରକ୍ତ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଫଳରେ ଦିନ ୧୧ଟା ୨୦ ମିନିଟରେ ଶ୍ରୀ ପାଢ଼ୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। କେବଳ ନମୁନା ସଂଗ୍ରହ ସମୟରେ ଏଭଳି ଅବ୍ୟବସ୍ଥା ହେଉନି, ରିପୋର୍ଟ ପ୍ରଦାନ ବେଳେ ବି କର୍ମଚାରୀଙ୍କ ମନମୁଖୀ ନୀତି ଚାଲୁଥିବା ଅଭିଯୋଗ ହୋଇଛି। ଦିନ ୨ଟାରୁ ପରୀକ୍ଷା ରିପୋର୍ଟ ସଂଗ୍ରହ କରାଯାଇପାରିବ ବୋଲି କେନ୍ଦ୍ର ବାହାରେ ଉଲ୍ଲେଖ ରହିଛି। କିନ୍ତୁ ଦିନ ୩ଟା ଯାଏଁ କେନ୍ଦ୍ରର ମଧ୍ୟାହ୍ନଭୋଜନ ବିରତି ଶେଷ ହେଉନଥିବାରୁ ରିପୋର୍ଟ ନେବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡୁଛି। ଅତୀତରେ ଏହି କେନ୍ଦ୍ରରୁ ରୋଗୀଙ୍କୁ ଭୁଲ୍ ରିପୋର୍ଟ ପ୍ରଦାନ କରାଯିବାର ଏକାଧିକ ନଜିର ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button