Lightning: ତାମିଲନାଡ଼ୁରେ ପ୍ରବଳ ବର୍ଷା, ବଜ୍ରାଘାତରେ ୧୪ ମୃତ
ତାମିଲନାଡ଼ୁରେ ପ୍ରବଳ ବର୍ଷା ଯୋଗୁ ବଜ୍ରାଘାତରେ ୧୪ ଜଣଙ୍କ ମୃତ୍ୟୁ ସହ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁ ରାଜ୍ୟର କେତେକ ଲୋକପ୍ରିୟ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।

ଚେନ୍ନାଇ: ତାମିଲନାଡ଼ୁରେ ପ୍ରବଳ ବର୍ଷା ଯୋଗୁ ବଜ୍ରାଘାତରେ ୧୪ ଜଣଙ୍କ ମୃତ୍ୟୁ ସହ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁ ରାଜ୍ୟର କେତେକ ଲୋକପ୍ରିୟ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ରେଡ୍ ଆଲର୍ଟ ଜାରି ହୋଇଛି।
ଚଳିତ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାଠାରୁ ଏଯାବତ୍ ରାଜ୍ୟରେ ବଜ୍ରାଘାତ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ହେଲାଣି। ରାଜସ୍ୱ ମନ୍ତ୍ରୀ କେଏ ସେଙ୍ଗୋତେୟାନ କହିଛନ୍ତି ଯେ ବଜ୍ରାଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ତେବେ ବର୍ଷା ଯୋଗୁ ଗୋଟିଏ ଦିନରେ ରାଜ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି।
ପ୍ରବଳ ବର୍ଷା ଯୋଗୁ ନୀଳଗିରି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଜିଲ୍ଲାରେ ୬୨ ଥର ଭୂସ୍ଖଳନ ହୋଇଛି। ସେହିପରି କୋଏମ୍ବାଟୁର ଓ ତିରୁପ୍ପୁରରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ନାଗପଟ୍ଟିନମରେ ୩୫୦୦ ଏକର ଚାଷଜମି ବର୍ଷାପାଣିରେ ବୁଡ଼ିଯାଇଛି। ନୀଳଗିରି ଓ କୋଡ଼ାଇକନାଲକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାମେଶ୍ୱରମ୍, ପମ୍ବନ, ଥଙ୍ଗାଚିମଦମ୍ ଓ ଆର୍ଏସ୍ ମଙ୍ଗଳମ୍ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ସୌଜନ୍ୟ ସମ୍ବାଦ




