Judgement: ଡିଜିଟାଲ୍ ଆରେଷ୍ଟ୍ ଠକେଇକୁ ‘ଡିଜିଟାଲ୍ ଡକାୟତି’ କହିଲେ ସୁପ୍ରିମ୍କୋର୍ଟ
ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଡିଜିଟାଲ୍ ଆରେଷ୍ଟ୍ ନାମରେ ଠକେଇ କରାଯିବା ଘଟଣାକୁ ସୁପ୍ରିମ୍କୋର୍ଟ ‘ଡିଜିଟାଲ୍ ଡକାୟତି’ ବୋଲି ଅଭିହିତ କରିଛନ୍ତି। ଏଭଳି ସଂଗଠିତ ସାଇବର ଅପରାଧରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବା...

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଡିଜିଟାଲ୍ ଆରେଷ୍ଟ୍ ନାମରେ ଠକେଇ କରାଯିବା ଘଟଣାକୁ ସୁପ୍ରିମ୍କୋର୍ଟ ‘ଡିଜିଟାଲ୍ ଡକାୟତି’ ବୋଲି ଅଭିହିତ କରିଛନ୍ତି। ଏଭଳି ସଂଗଠିତ ସାଇବର ଅପରାଧରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି। ଏଥିସହ ୧୨ଟି ରାଜ୍ୟରେ ଦୁଇଜଣଙ୍କ ବିରୋଧରେ ଚାଲିଥିବା ୩୫ଟି ଆପରାଧିକ ମାମଲାକୁ ଏକାଠି କରି ଗୋଟିଏ ସ୍ଥାନରେ ବିଚାର କରିବା ପାଇଁ ଦାଖଲ ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୌରବ କୁମାର ସାହା ଓ ନିଧି ଭଣ୍ଡାରୀଙ୍କ ଆବେଦନର ଶୁଣାଣି କରିଥିଲେ। ଅଭିଯୋଗ ଅନୁଯାୟୀ, ଏହି ଦୁଇଜଣ ନିଜ କମ୍ପାନିର ବ୍ୟାଙ୍କ୍ ଖାତାକୁ ସାଇବର ଠକେଇରୁ ମିଳୁଥିବା ଟଙ୍କା ଗ୍ରହଣ କରିବା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏଭଳି ଖାତାକୁ ‘ମ୍ୟୁଲ୍ ଆକାଉଣ୍ଟ୍’ କୁହାଯାଏ।
ଶୁଣାଣି ସମୟରେ ପ୍ରଧାନ ବିଚାରପତି କେରଳର ଏର୍ଣ୍ଣାକୁଲମ୍ର ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କ ଉଦାହରଣ ଦେଇଥିଲେ। ଡିଜିଟାଲ୍ ଆରେଷ୍ଟ୍ ଠକେଇରେ ଏହି ବୃଦ୍ଧଙ୍କଠାରୁ ୧ କୋଟି ୯୦ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଏବଂ ସେହି ଟଙ୍କା ଅଭିଯୁକ୍ତଙ୍କ କମ୍ପାନିର ମ୍ୟୁଲ୍ ଆକାଉଣ୍ଟ୍ରେ ଜମା ହୋଇଥିବା ଅଭିଯୋଗ ରହିଛି। ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଏଭଳି ଠକେଇର ଶିକାର କରାଯାଉଥିବାରୁ ଖଣ୍ଡପୀଠ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।
ଅଭିଯୁକ୍ତମାନେ ଦିଲ୍ଲୀରେ ସମସ୍ତ ମାମଲାର ଶୁଣାଣି କରିବାକୁ ଚାହୁଥିଲେ। କିନ୍ତୁ ବିଚାରପତି ଜୟମାଲ୍ୟ ବାଗ୍ଚୀ ପ୍ରଶ୍ନ କରିଥିଲେ, ଅଭିଯୁକ୍ତଙ୍କ ସୁବିଧା ପାଇଁ ଦେଶର ବିଭିନ୍ନ ଅଞ୍ଚଳର ପୀଡ଼ିତମାନେ କାହିଁକି ଦିଲ୍ଲୀ ଯିବେ? ଅଭିଯୁକ୍ତଙ୍କ ସୁବିଧା ଯୋଗୁଁ ପୀଡ଼ିତଙ୍କ ଅସୁବିଧା ବଢ଼ିବା ଉଚିତ ନୁହେଁ। ତଦନ୍ତକାରୀ ସଂସ୍ଥାର ଆବଶ୍ୟକତା ଥିଲେ ମାମଲାଗୁଡ଼ିକୁ ଏକାଠି କରିବା ବିଷୟ ବିଚାର କରାଯାଇପାରେ ବୋଲି ସେ କହିଥିଲେ। ଠକେଇର ଟଙ୍କା ହଂକଂ କିମ୍ବା ବ୍ୟାଙ୍କକ୍ ଭଳି ବିଦେଶୀ ସ୍ଥାନକୁ ପଠାଯାଇଥିଲେ, ନ୍ୟାୟ ପାଇବା ପାଇଁ ପୀଡ଼ିତଙ୍କୁ ସେଠାକୁ ଯିବାକୁ କୁହାଯାଇପାରିବ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ।
ଅପରାଧରେ ଟଙ୍କା କେଉଁଠି ଗ୍ରହଣ କରାଯାଇଛି, ତାହା ଅପେକ୍ଷା ପୀଡ଼ିତ କେଉଁଠି ଠକେଇର ଶିକାର ହୋଇଛନ୍ତି, ତାହା ମାମଲାର ବିଚାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଖଣ୍ଡପୀଠଙ୍କ ମତରୁ ସ୍ପଷ୍ଟ ହୋଇଛି। ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ଓ ଗୁଜରାଟ ସମେତ ୧୨ଟି ରାଜ୍ୟରେ ଏହି ୩୫ଟି ମାମଲା ରହିଛି। ଆବେଦନକୁ ଗ୍ରହଣ କରିବାକୁ ଖଣ୍ଡପୀଠ ଅନିଚ୍ଛା ପ୍ରକାଶ କରିବା ପରେ ଆବେଦନକାରୀଙ୍କ ପକ୍ଷରୁ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଫଳରେ ବିଭିନ୍ନ ରାଜ୍ୟରେ ଚାଲିଥିବା ତଦନ୍ତ ଓ ମାମଲାଗୁଡ଼ିକ ସେହିଭଳି ଜାରି ରହିବ।
ସୌଜନ୍ୟ ସମ୍ବାଦ




